ଗଣିଆ: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜନ ଜୀବନ ଅସ୍ତବ୍ୟସ୍ତ କରି ପକାଉଛି । ଦିନ ୯ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଛି। ଅସହ୍ୟ ତାତି ସାଙ୍ଗକୁ ଜଳସ୍ତର ଦିନକୁ ଦିନ କମିବାରେ ଲାଗିଛି। କରୋନା କଷ୍ଟ ସାଙ୍ଗକୁ ଜଳକଷ୍ଟ ଆହୁରି ଯନ୍ତ୍ରଣା ଦେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ମାଉସୀମା ମନ୍ଦିର ସାହିରେ। ସେଠାରେ ପ୍ରାୟ ୧୦ଟି ପରିବାରର ୪୦ରୁ ଅଧିକ ଲୋକ ବାସ କରନ୍ତି । ବର୍ଷ ସାରା ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗାଁକୁ ପାଇପ ଯୋଗେ ଜଳଯୋଗାଣ ହୋଇ ପାରି ନଥିବା ବେଳେ ଭରସା ଗୋଟିଏ ମାତ୍ର ନଳକୂପ ଉପରେ। ଦୀର୍ଘ ଦିନ ହେବ ଉକ୍ତ ନଳକୂପରୁ ପାଣି ବାହାରୁ ନାହିଁ । ଲୋକେ ବଜାରରେ ଥିବା ସ୍ବଛ ପାନୀୟ ଜଳ ଯୋଗାଣ କେନ୍ଦ୍ରରୁ ପାଣି ନେଉଛନ୍ତି ଅଥବା କୂଅରୁ ପାଣି ସଂଗ୍ରହ କରୁଛନ୍ତି। ସବୁଦିନ ବଜାର ଦେଇ ୧କି.ମି ଦୂରରୁ ପାଣି ନେବା ସମ୍ଭବ ହେଉନାହିଁ । ଫଳରେ ଜଳ ମୁନ୍ଦେ ପାଇଁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଗ୍ରାମରେ ଜଳ ସମସ୍ୟାକୁ ଦୂର କରିବାକୁ ସାଧାରଣରେ ଦାବି ହେଉଛି ।
ନଳକୂପ ଅଚଳ; ମିଳୁନି ପାନୀୟଜଳ
