ଗଣିଆ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ପଞ୍ଚାୟତର ପାଣ୍ଡରାସିଙ୍ଗା ଛକରେ ଘଟିଥିବା ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏହି ଘଟଣାରେ ପତୁରିଆ ଗ୍ରାମର କୁଳମଣୀ ନାୟକଙ୍କ ପୁଅ ରବିନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିନ୍ଦ୍ର ନାୟକ ପାଣ୍ଡରାସିଙ୍ଗା ଛକସ୍ଥିତ ତାଙ୍କ ନିଜ ଗ୍ୟାରେଜରେ ବସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ହଠାତ୍ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
ଘଟଣା ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ବୈଜ୍ଞାନିକ ଟିମ୍ ଓ ପୋଲିସ ଅଧିକାରୀମାନେ ପ୍ରମାଣ ସଂଗ୍ରହ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତକୁ ଜୋରଦାର କରାଯାଇଛି। ଏହି ଗୁଳିକାଣ୍ଡ ପରେ ପାଣ୍ଡରାସିଙ୍ଗା ଓ ଆଖପାଖ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି।
