ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଲୋକପ୍ରିୟ ଗଣପର୍ବ ରଜ ଅବସରରେ ନୟାଗଡ଼ରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ନୟାଗଡ଼ ବିଧାୟକ ଅରୁଣ ସାହୁ ବିଭିନ୍ନ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ରଜ ପର୍ବ ପାଳନ କରିଥିଲେ। ଏହି ଅବସରରେ ସେ ରଜ ଦୋଳି ଖେଳିବା ସହ ପୋଡ଼ ପିଠା ଓ ରଜ ପାନର ସ୍ୱାଦ ଉପଭୋଗ କରିଥିଲେ। ରଜ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସଭ୍ୟତାର ଏକ ଅନନ୍ୟ ପର୍ବ ହୋଇଥିବା ବେଳେ ଏହା ମାଟି ଓ ମେଘର ମିଳନର ପ୍ରତୀକ ଭାବେ ପରିଚିତ। ଏହି ପର୍ବରେ କୁମାରୀ ଓ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି, ପାଦରେ ଅଳତା ଲଗାଇ ଦୋଳି ଖେଳିବା ସହ ବିଭିନ୍ନ ପାରମ୍ପରିକ ଖେଳରେ ଭାଗ ନେଇଥାନ୍ତି। ଘରେ ଘରେ ପୋଡ଼ ପିଠା, ମଣ୍ଡା, ଆରିସା ଭଳି ବିଭିନ୍ନ ସୁସ୍ୱାଦୁ ପିଠାପଣା ପ୍ରସ୍ତୁତ କରାଯାଇଥାଏ।
ବିଧାୟକ ଅରୁଣ ସାହୁ କହିଥିଲେ ଯେ, ରଜ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ଜାତିର ସଂସ୍କୃତି, ପରମ୍ପରା ଓ ନାରୀ ସମ୍ମାନର ଏକ ଜୀବନ୍ତ ପ୍ରତୀକ। ଏହି ପର୍ବ ସମାଜରେ ଭାଇଚାରା, ସମ୍ପ୍ରୀତି ଓ ଆନନ୍ଦର ବାର୍ତ୍ତା ପ୍ରସାର କରିଥାଏ। ଗାଁ ଗାଁରେ ଦୋଳି ବନ୍ଧାଯାଇ ଯୁବପିଢ଼ି ଓ ମହିଳାମାନେ ରଜ ଗୀତ ଗାଇ ଉତ୍ସବକୁ ଉପଭୋଗ କରୁଥିବା ବେଳେ ପୁରୁଷମାନେ ଲୁଡୁ, ତାସ, ପଶା, କବାଡ଼ି ଓ ଅନ୍ୟାନ୍ୟ ପାରମ୍ପରିକ ଖେଳରେ ମଗ୍ନ ଥିଲେ। ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରଜ ପର୍ବକୁ ନେଇ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ସୃଷ୍ଟି ହୋଇଥିଲା। ରଜ ପର୍ବ ନାରୀତ୍ୱ ଓ ପ୍ରକୃତି ପ୍ରତି ସମ୍ମାନର ବାର୍ତ୍ତା ବହନ କରୁଥିବା ବେଳେ ଏହା ଓଡ଼ିଆ ଅସ୍ମିତାର ଏକ ଅବିଚ୍ଛିନ୍ନ ଅଂଶ ବୋଲି ସାଧାରଣ ଲୋକେ ମତ ପ୍ରକାଶ କରିଛନ୍ତି।
ନୟାଗଡ଼ରେ ଉତ୍ସାହର ସହ ପାଳିତ ହେଲା ରଜ ପର୍ବ, ସାମିଲ ହେଲେ ବିଧାୟକ ଡ଼ ଅରୁଣ ସାହୁ
