ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବଡ଼ ବାଣପୁର ପଞ୍ଚାୟତର ଘଣାଶାଳିଆ ଗ୍ରାମରେ ସୋମବାର ଏକ ହୃଦୟବିଦାରକ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୭ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ପ୍ରତିବାଦରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଘଣାଶାଳିଆ ଗ୍ରାମର ଗୋପାଳକ ନିରୁପମା ବେହେରା ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ତାଙ୍କ ମଇଁଷିମାନଙ୍କୁ ଚରାଇବା ପାଇଁ କୁମୁଣ୍ଡି ଅଞ୍ଚଳରେ ଥିବା ବିଲକୁ ନେଇଥିଲେ। ସେହି ସମୟରେ ବିଲ ନିକଟରେ ଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ କରି ୭ଟି ମଇଁଷି ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣାସ୍ଥଳରେ ହିଁ ସମସ୍ତ ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଗୋପାଳକ ନିରୁପମା ବେହେରାଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ବେଳେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଏହି ଦୁଃଖଦ ଘଟଣାର ଖବର ପାଇ ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି କ୍ଷୋଭ ପ୍ରକାଶ କରିଥିଲେ।
ପରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ମୃତ ମଇଁଷିମାନଙ୍କ ପାଇଁ ଉଚିତ କ୍ଷତିପୂରଣ ଏବଂ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଖବର ପାଇ ପ୍ରଶାସନ ଓ ବିଦ୍ୟୁତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏହି ଦୁଃଖଦ ପରିସ୍ଥିତିରେ ପୀଡ଼ିତ ପରିବାରକୁ ଶୀଘ୍ର ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
ବିଦ୍ୟୁତ ସଂସ୍ପର୍ଶରେ ୭ ମଇଁଷିଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
