ରାଣୀପଡ଼ାରେ ସ୍ୱଚ୍ଛତା ପକ୍ଷପାଳନ, ସଫେଇ ଅଭିଯାନ ସହ କୁଇଜ୍ ଓ ତର୍କ ପ୍ରତିଯୋଗିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ, ନୟାଗଡ଼ ଆନୁକୂଲ୍ୟରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗ୍ରାମ ପଞ୍ଚାୟତରେ ଗୁରୁବାର ଅପରାହ୍ନ ୪ଟା ସମୟରେ ‘ସ୍ୱଚ୍ଛତା ପକ୍ଷପାଳନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବୀର ୟୁଥ୍ କ୍ଲବ, ରାଣୀପଡ଼ା ପକ୍ଷରୁ ଆୟୋଜିତ ଏହି ସ୍ୱଚ୍ଛତା ଅଭିଯାନରେ କ୍ଲବର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ। ଗ୍ରାମର ମନ୍ଦିର, ସମାଜ ଘର ସମେତ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ବିଭିନ୍ନ ସ୍ଥାନରେ ସମସ୍ତେ ମିଳିତ ଭାବେ ସଫେଇ କାର୍ଯ୍ୟ କରିଥିଲେ।

ଏହି ଅବସରରେ ଗ୍ରାମବାସୀଙ୍କୁ ନିଜ ଚାରିପାଖର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା, ଏଣେତେଣେ ଅଳିଆ ଆବର୍ଜନା ନ ଫୋପାଡ଼ି ଆବର୍ଜନା କୁଣ୍ଡ ବ୍ୟବହାର କରିବା ଏବଂ ପଲିଥିନ ବ୍ୟବହାର ବନ୍ଦ କରିବା ନେଇ ସଚେତନ କରାଯାଇଥିଲା। ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ନେଇ ଉପସ୍ଥିତ ସମସ୍ତେ ଶପଥ ପାଠ ମଧ୍ୟ କରିଥିଲେ।

ଏଥିସହ ରାଣୀପଡ଼ାସ୍ଥିତ ଭଗବତୀ ବିଦ୍ୟାପୀଠ, ବିରଡ଼ିହିଠାରେ ସ୍ୱଚ୍ଛତା ପକ୍ଷପାଳନ ଦିବସ ଅବସରରେ ମହାବୀର ୟୁଥ୍ କ୍ଲବ ପକ୍ଷରୁ କୁଇଜ୍ ଓ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ। ଯୁବ ସଂଗଠକ ତଥା ମହାବୀର ୟୁଥ୍ କ୍ଲବର ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ସମଗ୍ର ସ୍ୱଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଗ୍ରାମବାସୀଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ଏକ ପରିଷ୍କାର, ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।

Related posts