ଚମ୍ପାଗଡ଼ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନକୁ ନେଇ ଅନିୟମିତତା ଅଭିଯୋଗ

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ଼ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ଓ ସଦସ୍ୟ ଚୟନକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି। ଏନେଇ କିଛି ଛାତ୍ର-ଅଭିଭାବକ ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ (ସମଗ୍ର ଶିକ୍ଷା), ଜିଲ୍ଲା ଶିକ୍ଷା ଅଧିକାରୀ ଓ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ପରିଚାଳନା କମିଟି ସଦସ୍ୟ ଚୟନ ପାଇଁ ପ୍ରଥମେ ଡକାଯାଇଥିବା ବୈଠକରେ ପ୍ରାୟ ୪୫ ଜଣ ଅଭିଭାବକ ଉପସ୍ଥିତ ଥିଲେ। ଆବଶ୍ୟକ ସଂଖ୍ୟକ ଉପସ୍ଥିତି ନଥିବା ଦର୍ଶାଇ ସେହି ବୈଠକକୁ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ପରେ ଅନ୍ୟ ଏକ ଦିନ ବୈଠକ ଡକାଯାଇଥିବା ବେଳେ ସେଠାରେ ପ୍ରାୟ ୨୫ ଜଣ ଅଭିଭାବକ ଉପସ୍ଥିତ ଥିଲେ ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି।

ଦ୍ୱିତୀୟ ବୈଠକରେ ଜଣେ ରାଜନୈତିକ ଦଳ ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଇଚ୍ଛା ଅନୁଯାୟୀ ପରିଚାଳନା କମିଟିର ସଦସ୍ୟ ଚୟନ କରାଯାଇଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହା ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିୟମ ଉଲ୍ଲଂଘନ କରି ଏଭଳି ପ୍ରକ୍ରିୟାରେ ସହଯୋଗ କରିଥିବା ଏବଂ ନିଜ ପଦର ଅପବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ଆହୁରି ଦାବି ହେଉଛି, ବୈଠକରେ ଉପସ୍ଥିତ ନଥିବା କିଛି ଅଭିଭାବକଙ୍କ ଦସ୍ତଖତ ପରେ ସଂଗ୍ରହ କରାଯାଇ ରେଜୁଲେସନ୍‌ରେ ବ୍ୟବହାର କରାଯାଇଥିବା ସନ୍ଦେହ ରହିଛି। ତେଣୁ ଏହି ସମଗ୍ର ପ୍ରକ୍ରିୟାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ଅଭିଭାବକମାନେ ଅଭିଯୋଗର ସତ୍ୟତା ଯାଞ୍ଚ କରି, ଯଦି ନିୟମ ଉଲ୍ଲଂଘନ ପ୍ରମାଣିତ ହୁଏ ତେବେ ସମ୍ପୃକ୍ତଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ନେବା ସହ ବର୍ତ୍ତମାନ ଗଠିତ ବିଦ୍ୟାଳୟ ପରିଚାଳନା କମିଟିକୁ ପୁନଃଗଠନ କରିବାକୁ ଦାବି କରିଛନ୍ତି। ଏନେଇ ସମ୍ପୃକ୍ତ ପ୍ରଧାନଶିକ୍ଷକ କିମ୍ବା ଶିକ୍ଷା ବିଭାଗର ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ତଦନ୍ତ ପରେ ହିଁ ଅଭିଯୋଗଗୁଡ଼ିକର ପ୍ରକୃତ ସତ୍ୟତା ସ୍ପଷ୍ଟ ହେବ।

Related posts