ତିନି ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଆଦର୍ଶ, ନୟାଗଡ଼ ପାଇଁ ଆଣିଲେ ଗୌରବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଓ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମର ତିନି ବର୍ଷୀୟ ଶିଶୁ ଆଦର୍ଶ ଅକ୍ଷର ଦାଶ ନିଜର ଅସାଧାରଣ ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରି ଚଳିତ ବର୍ଷ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ–୨୦୨୬’ରେ ସ୍ଥାନ ପାଇଛନ୍ତି। ଏତେ କମ୍ ବୟସରେ ଏହି ସଫଳତା ହାସଲ କରି ଆଦର୍ଶ ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଖଣ୍ଡୁଗାଁ ଗ୍ରାମର ସିଲୁ ଦାଶ ଓ ପ୍ରତିଭା ପାଣିଗ୍ରାହୀଙ୍କ ସୁପୁତ୍ର ହେଉଛନ୍ତି ଆଦର୍ଶ। ନିଜ ବୟସ ତୁଳନାରେ ଅଧିକ ଜ୍ଞାନ ଅର୍ଜନ କରିଥିବା ଆଦର୍ଶ ଅନ୍‌ଲାଇନ୍ ମାଧ୍ୟମରେ ୨୦ଟି ବିଷୟର ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରି ଏହି ରେକର୍ଡ ହାସଲ କରିଥିବା ଜଣାପଡ଼ିଛି। ତିନି ବର୍ଷ ବୟସରେ ଆଦର୍ଶଙ୍କ ଏଭଳି ପ୍ରତିଭା ଓ ସ୍ମରଣଶକ୍ତି ତାଙ୍କ ପରିବାର ସମେତ ଅଞ୍ଚଳବାସୀଙ୍କୁ ଆନନ୍ଦିତ କରିଛି। ଏହି ସଫଳତା ପରେ ବିଭିନ୍ନ ମହଲରୁ ଆଦର୍ଶଙ୍କୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି। ଆଦର୍ଶଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗୌରବର ବିଷୟ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି।

Related posts