ଶ୍ରମିକଙ୍କ ଦାବି ପୂରଣ ପାଇଁ BMSର ପ୍ରତିବାଦ ଦିବସ, ବିଶାଳ ରାଲି, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରମିକମାନଙ୍କ ବିଭିନ୍ନ ନ୍ୟାୟସଙ୍ଗତ ଦାବିର ତୁରନ୍ତ ସମାଧାନ ଦାବିରେ ଭାରତୀୟ ମଜଦୂର ସଂଘ (BMS)ର ଜାତୀୟ ଆହ୍ୱାନ କ୍ରମେ ନୟାଗଡ଼ ଜିଲ୍ଲାରେ ‘ପ୍ରତିବାଦ ଦିବସ’ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏକ ବିଶାଳ ରାଲିରେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ରାଲି ପରେ ଶ୍ରମିକମାନଙ୍କ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

ଭାରତୀୟ ମଜଦୂର ସଂଘର ରାଞ୍ଚିଠାରେ ଅନୁଷ୍ଠିତ ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି (KKS) ବୈଠକର ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୭ ତାରିଖରେ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ପ୍ରତିବାଦ ଦିବସ ପାଳନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। BMS ଓଡ଼ିଶା ପ୍ରାନ୍ତର ଆହ୍ୱାନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ହୋଇଥିଲା।

ଶ୍ରମିକମାନଙ୍କ ପ୍ରମୁଖ ଦାବି ମଧ୍ୟରେ ESIC ଦରମା ସୀମା ୨୧ ହଜାରରୁ ୪୨ ହଜାର ଟଙ୍କା, EPF ନ୍ୟୁନତମ ପେନସନ ୧ ହଜାରରୁ ୭,୫୦୦ ଟଙ୍କା, EPF ଦରମା ସୀମା ୩୦ ହଜାର ଟଙ୍କା, ବୋନସ ଗଣନା ସୀମା ୧୮ ହଜାର ଟଙ୍କା ଏବଂ ବୋନସ ଯୋଗ୍ୟତା ସୀମା ୪୨ ହଜାର ଟଙ୍କା କରିବା ଆଦି ରହିଛି।

ଏଥିସହ ଅଙ୍ଗନୱାଡ଼ି ଓ ଆଶା ଭଳି ସ୍କିମ୍ ଶ୍ରମିକଙ୍କ ମାନଦଣ୍ଡ ବୃଦ୍ଧି, ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ‘ସମାନ କାମକୁ ସମାନ ଦରମା’, ଶ୍ରମିକ ବିରୋଧୀ ଶ୍ରମ ଆଇନର ଧାରା ବିଲୋପ, ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୫ ଦିନିଆ କାର୍ଯ୍ୟ ସପ୍ତାହ, ଗ୍ରାଚୁଇଟି ସୀମା ୪୦ ଲକ୍ଷ ଟଙ୍କା, ଜାତୀୟ ନ୍ୟୁନତମ ଦରମା ମାସିକ ୩୦ ହଜାର ଟଙ୍କା ଏବଂ LIC ଡେଭଲପମେଣ୍ଟ ଅଫିସରଙ୍କୁ ପୂର୍ଣ୍ଣ ଚାକିରି ସୁରକ୍ଷା ଆଦି ଦାବି ଉଠାଯାଇଥିଲା।

ରାଜ୍ୟର ବିଭିନ୍ନ ସଂସ୍ଥାରେ ବେଆଇନ ଛଟେଇର ଶିକାର ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦେବାକୁ ମଧ୍ୟ ସଂଘ ଦାବି କରିଛି। ସାଧାରଣ ସଭାରେ ବକ୍ତାମାନେ ଶ୍ରମିକଙ୍କ ସାମାଜିକ ସୁରକ୍ଷା, ଉନ୍ନତ ଦରମା, ପେନସନ, ଚାକିରି ସୁରକ୍ଷା ଓ ଉନ୍ନତ କାର୍ଯ୍ୟ ପରିବେଶ ନିଶ୍ଚିତ କରିବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ।

BMS ନୟାଗଡ଼ ଜିଲ୍ଲା ସମ୍ପାଦକ ସୁକାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବିନୋଦିନୀ ପରିଡ଼ା, ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ସେଠୀ, ଉପସଭାପତି ମେନକା ପଲେଇ, ନୟାଗଡ଼ ବ୍ଲକ ସଭାପତି ମିନତି ମିଶ୍ର, ସମ୍ପାଦିକା ସୀମା ପ୍ରଧାନ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଜିଲ୍ଲା ଉପସଭାପତି ଲକ୍ଷ୍ମୀଧର ସ୍ୱାଇଁ, ଦକ୍ଷିଣକାଳୀ ବିଦ୍ୟୁତ୍ କର୍ମଚାରୀ ସଂଘ ଜିଲ୍ଲା ସମ୍ପାଦକ ସଂଜୟ ପଟ୍ଟନାୟକ, ସଭାପତି ଆଲୋକ ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ବାସନ୍ତୀ ପ୍ରଧାନ ଓ BMS କୋଷାଧ୍ୟକ୍ଷା ଦୀପା ସାହୁଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ସଂଘବଦ୍ଧ ଶ୍ରମିକ ଶକ୍ତି ମାଧ୍ୟମରେ ଶ୍ରମିକମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ ବୋଲି BMS ନୟାଗଡ଼ ଜିଲ୍ଲା ସମ୍ପାଦକ ସୁକାନ୍ତ କୁମାର ମହାପାତ୍ର କହିଛନ୍ତି।

Related posts