S.I.R-2026 ସମ୍ପର୍କିତ ଦାବି ଓ ଆପତ୍ତି ପ୍ରକ୍ରିୟାର ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାରେ  ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ SIR-2026 ସମ୍ପର୍କିତ ଦାବି ଓ ଆପତ୍ତି ପ୍ରକ୍ରିୟାର ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲାର ସମସ୍ତ ERO, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଏବଂ ନିର୍ବାଚନ ବିଭାଗର ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।

ବୈଠକରେ SIR-2026 ଅନ୍ତର୍ଗତ ଦାବି ଓ ଆପତ୍ତି ସମ୍ପର୍କିତ ଫର୍ମ-9, 10, 11, 11A ଏବଂ 11B ରେ ପ୍ରାପ୍ତ ଆବେଦନଗୁଡ଼ିକର ସ୍ଥିତି, ଯାଞ୍ଚ ଓ ପ୍ରକ୍ରିୟାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ପାରଦର୍ଶିତା ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ନିମନ୍ତେ ଉକ୍ତ ଫର୍ମଗୁଡ଼ିକରେ ପ୍ରାପ୍ତ ଦାବି ଓ ଆପତ୍ତିର ରିପୋର୍ଟ ସମ୍ପୃକ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଦାବି ଓ ଆପତ୍ତି ସମ୍ପର୍କିତ ସମସ୍ତ ତଥ୍ୟ ନିୟମାନୁସାରେ ଯାଞ୍ଚ କରି ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନିର୍ବାଚନ ପ୍ରକ୍ରିୟାରେ ସମସ୍ତ ହିତଧାରୀଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ସହିତ SIR-2026 କାର୍ଯ୍ୟକ୍ରମକୁ ସ୍ୱଚ୍ଛ, ନିରପେକ୍ଷ ଓ ସୁଚାରୁ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Related posts