ଗୋଡ଼ିଗଦା ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୋଡ଼ି (ଚିପ୍ସ) ବୋଝେଇ ହାଇୱା ଟ୍ରକରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚର୍ଚ୍ଚା ଓ ଉତ୍କଣ୍ଠା ସୃଷ୍ଟି ହୋଇଛି।

ମୃତ ଯୁବକ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ପଞ୍ଚାୟତର ସୁନାଖଳା ଗ୍ରାମର ଦିବାକର ରାଉତଙ୍କ ପୁଅ ମୁନା ରାଉତ (୧୯)। ସେ ଓଡି-୧୫ଜେ-୭୫୮୨ନମ୍ବର ବିଶିଷ୍ଟ ହାଇୱା ଟ୍ରକରେ ହେଲ୍ପର ଭାବେ କାମ କରୁଥିଲେ।

ସୂଚନା ଅନୁସାରେ, ଶନିବାର ରାତିରେ ହାଇୱାଟି ଗୋଡ଼ି (ଚିପ୍ସ) ବୋଝେଇ କରି ଭାପୁର ବଜାର ନିକଟସ୍ଥ ମହୋତ୍ସବ ପଡ଼ିଆ ନିକଟରେ ଜଣେ ବ୍ୟକ୍ତିଙ୍କ ସ୍ଥାନରେ ଗୋଡ଼ି ଖାଲି କରୁଥିଲା। ତେବେ ଗୋଡ଼ି ଅନଲୋଡ୍ ସମୟରେ ସେଥିରୁ ହେଲ୍ପର ମୁନା ରାଉତଙ୍କ ମୃତଦେହ ମିଳିଥିଲା। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।

ଘଟଣାଟି କିପରି ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ଏକ ଦୁର୍ଘଟଣା, ହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି, ସେନେଇ ବିଭିନ୍ନ ସନ୍ଦେହ ପ୍ରକାଶ ପାଉଛି।

ଖବର ପାଇ ଫତେଗଡ଼ ଥାନା ଅଧିକାରୀ ଅଜୟ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ପକ୍ଷରୁ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି।

Related posts