ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଧୁମଧାମରେ ଉଦ୍‌ଘାଟିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇ ଉଦଘାଟନ କରିଥିବା ବେଳେ ଜୀବନର ସ୍ମୃତି ଅତି ମଧୁର, ତାକୁ ସାଇତି ରଖିବା ଦରକାର । ବିଭିନ୍ନ ଜୟନ୍ତୀର ସମାରୋହ ଦ୍ୱାରା ବିଦ୍ୟାଳୟର ଇତିହାସ ଜାଣିବାର ସୁଯୋଗ ମିଳିଥାଏ। ଛାତ୍ରଛାତ୍ରୀଙ୍କ ସଫଳତାରେ ଶିକ୍ଷକ ଆତ୍ମତୃପ୍ତି ପାଇଥାଏ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଡ. ସଂଗ୍ରାମ ଜେନା, ବିଶିଷ୍ଟ ଅତିଥିଭାବେ ନୟାଗଡ଼ ଜିଳ୍ଲାପାଳ ରବୀନ୍ଦ୍ରନାଥ ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଘାଟନୀ ସମାରୋହରେ ପ୍ରାରମ୍ଭରେ ଅତିଥିମାନେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ରଘୁନାଥ ଦାସଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମଞ୍ଚାସୀନ ହୋଇଥିଲେ । ଅତିଥିମାନେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଓ ଦୀପ ପ୍ରଜ୍ଜଳନ କରିବାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ଏବଂ ପରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୂସୟା ମିଶ୍ର ଶ୍ରୀଜଗନ୍ନାଥ ଭଜନ ଗାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢୌକନ ଏବଂ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ପୁରାତନ ଛାତ୍ରୀ ତଥା ଅଧ୍ୟାପିକା ସ୍ମିତା ସ୍ୱାଇଁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ବିବରଣୀ ପଠନ ଏବଂ ଶିକ୍ଷୟିତ୍ରୀ ରସିଦା ଖାତୁନ ଧନ୍ୟବାନ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ଏବଂ ସୁବର୍ଣ୍ଣ ଜୟନ୍ତୀ କମିଟିର ସଦସ୍ୟମାନେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

Related posts