କାଜୁଫସଲ ଅଧିକାର ଦାବିରେ ଆଦିବାସୀ ମେଳି, ଏପ୍ରିଲ ୨୭ରେ କଲେକ୍ଟର ଚାଲ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଶାଳିଆଝରି ଠାରେ ୩୮ଖଣ୍ଡ ଆଦିବାସୀ ପଲ୍ଲାର ଶତାଧିକ ମୁଖିଆ ପ୍ରତିନିଧି ନକୁଳ ପ୍ରଧାନଙ୍କ ସଭାପତିତ୍ୱରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ବ୍ୟାନରରେ ଏକତ୍ରିତ ହୋଇ କାଜୁପଦା ଉପରେ ଅଧିକାର ସାବ୍ୟସ୍ତ ପାଇଁ ସଂକଳ୍ପ ଵଧ ହୋଇଛନ୍ତି। ବୁଢ଼ାବୁଢ଼ୀଆଣୀ ବନ୍ଧର ବିସ୍ଥାପିତ ଆଦିବାସୀମାନଙ୍କର ପାରମ୍ପରିକ ଅଧିକୃତ ପଦା ମାନଙ୍କରେ କାଜୁ କର୍ପୋରେସନ ଓ ବନ ଉନ୍ନୟନ ନିଗମ ମୂଳ ଅଧିବାସୀଙ୍କ ଠାରୁ ବେଦଖଲ କରି ଏଠାରେ କାଜୁ ଚାଷ କରାଇଥିଲେ ଏବଂ ଫଳଭୋଗୀ ହେବାର ପ୍ରଲୋଭନ ଦେଖାଇ ଏମାନଙ୍କ ଦ୍ୱାରା ଫସଲ ଜଗାରଖା କରାଇଥିଲେ।ମାତ୍ର ଚଞ୍ଚକତାପୂର୍ଣ୍ଣ ଭାବେ ଫଳ ଧରିଲା ପରେ ବନ ନିଗମ ଏହାକୁ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ବାହୁବଳୀ ମାଫିଆ ଦଳକୁ ନିଲାମ ଦେଇଛି। ଏବଂ ବିଡ଼ରମାନେ ଆଦିବାସୀମାନଙ୍କ ଉପରେ ଜୁଲମ ଚଳାଇଛନ୍ତି। ଏହାର ପ୍ରତିବିଧାନ ପାଇଁ ତା ୨୭.୦୪.୨୦୨୩ରିଖ ଦିନ ସମସ୍ତ ଆଦିବାସୀ ନୟାଗଡ଼ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି। ଏହା ସହିତ ଭୁବନେଶ୍ୱର ବନ ନିଗମ ଅଧିକାରୀଙ୍କୁ ପ୍ରତିନିଧିମୂଳକ ଭାବରେ ସାକ୍ଷାତ କରିବା ପାଇଁ ସ୍ଥିର ହୋଇଛି। ନିଲାମ ଦାରଙ୍କ ପକ୍ଷରୁ ଜୁଲମ କରାଯାଉଥିବାରୁ ଏହା ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତି କରାଯିବା ପାଇଁ ସ୍ଥିର ହୋଇଅଛି। ଏହି ସାଧାରଣ ସଭାରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ର, କୃଷକ ନେତା ପବିତ୍ର ଇନ୍ଦ୍ରଜିତ ଓ ଗୋଳକବିହାରୀ ମୁଦୁଲି, ନାରୀନେତ୍ରୀ ଜ୍ୟୋତିପ୍ରଭା ଜେନା, ଯୁବନେତା ସରୋଜ ନାୟକ, ଆଦିବାସୀ ନେତା ଭଗବାନ ପ୍ରଧାନ, ଦ୍ୟୁତିକୃଷ୍ଣ ପ୍ରଧାନ, ବିଜୟ ପ୍ରଧାନ, ଜଗବନ୍ଧୁ ଜାନୀ, ଉମା ଜାନୀ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇଥିଲେ।

Related posts