ଇସଲାମ ଧର୍ମର ମୁଖ୍ୟପର୍ବ ଇଦୁଲ ଫିତର ନୟାଗଡ଼ରେ ଧୁମଧାମରେ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଇସଲାମ ଧର୍ମର ମୁଖ୍ୟପର୍ବ ଇଦୁଲ ଫିତର ସ୍ଥାନୀୟ ଇଦଗାହ ଠାରେ ପାଳନ ହୋଇଛି। ଜିଲ୍ଲାସ୍ତରୀୟ ଏହି ଇଦୁଲ ଫିତର ପର୍ବରେ ଧର୍ମଗୁରୁ ଜଲାଲୁଦ୍ଦିନ ଖାଁ ମିଫତାହି ନମାଜ ପାଠ କରାଇଥିବା ବେଳେ ଜିଲ୍ଲାର କୋଣଅନୁକୋଣରୁ ମୁସଲିମ ଅଧିବାସୀ ଏଥିରେ ସାମିଲ ହୋଇଥିଲେ। ଏହି ପର୍ବର ପୂର୍ବରୁ ଏକ ମାସ ଧରି ମୁସଲିମ ଭାଇଭଉଣୀମାନେ ମାସ ବ୍ୟାପୀ ରୋଜା (ଉପବାସ), ନମାଜ, ଦାନଧର୍ମ, ତରାବୀ ନମାଜ ପାଠ ସହିତ କୋରାନ ପାଠ କରି ଶେଷଦିନରେ ଚାନ୍ଦ ଦର୍ଶନକରି ତା ପରଦିନ ଇଦ ପାଳନ କରିଥିଲେ। ଘରେ ଘରେ ସିମେଇ, ଲଚ୍ଛା, ମିଷ୍ଟାନ, ବିରୟାନୀ ଓ ଭୋଜିଭାତର ଆୟୋଜନ ହୋଇଥାଏ । ସଭିଏଁ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ତଥା ଇଦମୁବାରକ କହି ଅଭିନନ୍ଦନ ଜଣାଇଥାନ୍ତି। ଏହା ଏକ ଭାଇଚାରାର ପର୍ବ ଏଥିରେ ଜାତିଧର୍ମ ନିର୍ବିଶେଷରେ ସଭିଏଁ ସାମିଲ ହୁଅନ୍ତି। ସିନ୍ଦୁରିଆର ଏହି ମହାନ ପର୍ବରେ ସେହି ଅଞ୍ଚଳର ଅନ୍ୟ ଧର୍ମାବଲମ୍ବୀ ଅଧିବାସୀମାନେ ମୁସଲମାନ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇ ସାମିଲ ହୋଇଥିଲେ। ଆଜିର ଏହି ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ସାହୁ ଓ ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର ପ୍ରମୁଖ ସାମୂହିକ ନମାଜ ପାଠ ସ୍ଥଳରେ ପହଞ୍ଚି ଅଭିନନ୍ଦନ ଜଣାଇଥିଲେ। ଦେଶରେ ଭାଇଚାରା, ସଦଭାବନା, ଶାନ୍ତି ପ୍ରତିଷ୍ଠା ଓ ଦେଶର ସମୃଦ୍ଧି କାମନା ସହିତ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରାଯାଇଥିଲା।

Related posts