ଦଶପଲ୍ଲାର ଐତିହାସିକ ମେଳିଆ ତୋଟାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଐତିହାସିକ ମେଳିଆ ତୋଟାରେ ଦଶପଲ୍ଲାର ଜନପ୍ରିୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ, ଦଶପଲ୍ଲା ଏବଂ ଗଣିଆ ବ୍ଲକର ହଜାର ହଜାର ବିଜେଡି କର୍ମୀଙ୍କ ଉପସ୍ଥିତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳ ୮ ଘଟିକା ସମୟରେ ମେଳିଆ ତୋଟା ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ମହାବୀର ମନ୍ଦିର ନିକଟରେ ପହଞ୍ଚିଥିଲା । ଦଶପଲ୍ଲା ବିଧାୟକ ଡାକ୍ତରଖାନା ଛକ ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।

ତତ୍ ସହିତ ଡ଼ାକ୍ତରଖାନା ରେ ରୋଗୀଙ୍କୁ, ବୃଦ୍ଧାଶ୍ରମ ରେ ଥିବା ଅନ୍ତେବାସୀଙ୍କୁ ଏବଂ ଜେଲରେ ଥିବା କଏଦୀଙ୍କୁ ଫଳ ବଣ୍ଟନ କରିଥିଲେ । ଅପରାହ୍ନ ୩ ଘଟିକା ସମୟରେ ମହାବୀର ମନ୍ଦିରରୁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ମେଳିଆ ତୋଟାରେ ପହଞ୍ଚିଥିଲେ । ସେଠାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଗଣିଆ ବ୍ଲକ୍ ଅଧ୍ୟକ୍ଷା ଝୁନା ଜେନାଙ୍କ ସମେତ ୩ଟି ବ୍ଲକର ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ଯୁବ ଛାତ୍ର , ମହିଳା ନେତ୍ରୀ, ବିଜେଡ଼ି ନେତୃବୃନ୍ଦ, ଶହ ଶହ ବିଜେଡ଼ି କର୍ମୀ ଏବଂ ଦଶପଲ୍ଲା ଏନଏସିର କାଉନସିଲର ମାନେ ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଓଡ଼ିଶା ପ୍ରତି ଯେଉଁ ସ୍ବପ୍ନ ଥିଲା ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଯୋଗୁଁ ପୂରଣ ହେବାକୁ ଯାଉଛି ଓଡ଼ିଶା ଏକ ସମୃଦ୍ଧ ଏବଂ ବିକଶିତ ଓଡ଼ିଶାରେ ପରିଣତ ହୋଇଥିବା ଦଶପଲ୍ଲା ବିଧାୟକ କହିଥିଲେ । ତତ୍ ସହିତ ଚଳିତ ବର୍ଷ ବଜେଟ ଏକ ଅବିସ୍ମରଣୀୟ ବଜେଟ ବୋଲି କହିଥିଲେ ଏବଂ ସମସ୍ତେ ଏକତ୍ରିତ ହୋଇ ନବୀନ ଓଡ଼ିଶା ଗଠନ କରିବା ପାଇଁ ଶପଥ ପାଠ କରିଥିଲେ।

Related posts