ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି, ଗ୍ରୀଷ୍ମଋତୁ ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା
ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ
ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ନୌସଦ ଅଲ୍ଲୀ
ଖାନ୍, ସହକାରୀ ବନସଂରକ୍ଷକ ସ୍ବେତାଲୀନା ସାହୁ, ଜରୁରୀ କାଳୀନ ଅଧିକାରୀ ଦିଲ୍ଲୀପ କୁମାର ଜେନା ପ୍ରମୂଖ ଉପସ୍ଥିତ ରହିଥିଲେ ।

ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ବିଭାଗର ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲା ସ୍ତରରେ ଏବଂ ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଗ୍ରୀଷ୍ମ ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ କରାଯାଇଥିବା ବେଳେ ପ୍ରତ୍ୟେକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଥଣ୍ଡା ପାନୀୟ ଜଳ, ଓଆରଏସ ଏବଂ ଜରୁରୀ କାଳୀନ ଔଷଧ ପର୍ଯ୍ୟାପ୍ତ ପରିମାଣରେ ବ୍ୟବସ୍ଥା କରାଯାଇଥିବା ଆଲୋଚନାରୁ ଜଣାପଡ଼ିଛି ।

ବନବିଭାଗ ସମ୍ପର୍କରେ ଆଲୋଚନା ବେଳେ ନୟାଗଡ଼ ବନଖଣ୍ଡରେ ୬୮ଟି ସ୍ଥାନରେ ବନାଗ୍ନି ସୃଷ୍ଟି ହୋଇଥବା ସୂଚନା ମିଳିଛି । ଏହାର ମୁକାବିଲା ପାଇଁ ନିଆଁ ଲିଭା ସ୍କ୍ୱାର୍ଡ଼ ଓ ବନକର୍ମଚାରୀ କାର୍ଯ୍ୟରତ ରହିଛନ୍ତି । ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ ଜାରି ରହିଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ମହୁଲି ଓ ଦେଶୀ ମଦ ରାନ୍ଧିବା ବେଳେ ଜଙ୍ଗଲରେ ନିଆଁ ଲାଗୁଥିବା ସହକାରୀ ବନସଂରକ୍ଷକ କହିଥିଲେ ।

ଗ୍ରାମ୍ୟ ଜଳଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାର ୧୯୪ଗ୍ରାମ ପଞ୍ଚାୟତରେ ୧୩,୩୨୯ଟି ନଳକୂପ ବ୍ୟବହାର ଯୋଗ୍ୟ ରହିଥିବା ସୂଚନା ମିଳିଛି । ଚଳିତ ବର୍ଷ ୩୯୪ ନୂଆ ନଳକୂପ ଖନନ ପାଇଁ ଅନୁମୋଦନ ମିଳିଥିଲା । ତାହା ମଧ୍ୟରୁ ୩୦୪ ନଳକୂପ ଖନନ ଶେଷ ହୋଇଛି। ମାର୍ଚ୍ଚ ୧୫ତାରିଖ ପୂର୍ବରୁ ଅବଶିଷ୍ଟ ଗୁଡ଼ିକ ଶେଷ କରିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିବା ବେଳେ ୩ଟି ବେସରକାରୀ ଟ୍ୟାଙ୍କର ମଧ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଯୋଗାଡ଼ କରାଯାଇଛି । ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ବିପୁଳ ପରିମାଣର ଔଷଧ ମହଜୁଦ ରହିଥିବା ବେଳେ ଅନେକ ପଶୁ ଚିକିତ୍ସାଳୟରେ ପାନୀୟ ଜଳ ଅଭାବ ରହିଛି।

ତୁରନ୍ଧ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୫ତାରିଖଠାରୁ ଦିନ ୧୧ଟାରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ପାଇଁ ବାରଣ
କରାଯାଇଛି । ଶ୍ରମ ବିଭାଗ ଏହାର ତଦାରଖ କରିବା ସହ ଆବଶକୀୟ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ସରକାରୀ ବେସରକାରୀ ବସ ଗୁଡ଼ିକରେ ପାନୀୟ ଜଳ ବ୍ୟବସ୍ଥା ସହ ଆନୁସଙ୍ଗିକ ବ୍ୟବସ୍ଥା କରାଇବା ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ବସ ମାଲିକ ସଂଘ ସହ ଏନେଇ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଭାବେ ମାର୍ଚ୍ଚ ୧୫ତାରିଖ ପୂର୍ବରୁ ବିଦ୍ୟୁତ ସମସ୍ୟା ଗୁଡ଼ିକ ସମାଧାନ କରାଯିବା ସହ ଜରୁରୀ କାଳୀନ ସ୍ଥାନରେ ବିଦ୍ୟୁତ୍ କାଟ ନହେବା ଉପରେ ଦୃଷ୍ଟି ଦେବାକୁ ଟିପିସିଓଡିଏଲକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା ଯିବାକୁ ଡିଏସଡବ୍ଲ୍ୟୁଓ ସୂଚନା ଦେଇଛନ୍ତି । ସମାଜିକ ସୁରକ୍ଷା ବିଭାଗ
ବୃଦ୍ଧବୃଦ୍ଧାଙ୍କୁ ଛତା ପାଇଁ ୧ଶହ ଟଙ୍କା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ, ଶିକ୍ଷା ବିଭାଗ ବ୍ୟବସ୍ଥା ଗ୍ରହଣ କରିବାକୁ
ମତ ଦେଇଛି । ଏହା ସହିତ ଜିଲ୍ଲାର ପ୍ରମୂଖ ସହର ଗୁଡ଼ିକରେ ଥଣ୍ଡା ପାନୀୟ
ଜଳ ବ୍ୟବସ୍ଥା, ଜନଗହଳୀ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରିବା ସହିତ
କୌଣସି ସ୍ଥାନରେ ଅଘଟଣ ନଘଟିବା ଉପରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମସ୍ତ ବିଭାଗକୁ ମାର୍ଚ୍ଚ ୧୫ ପୂର୍ବରୁ ପ୍ରସ୍ତୁତି ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

Related posts