ମାତୃଭାଷା ପ୍ରତି ଆମର ପ୍ରତିବଦ୍ଧତା ରହିଲେ ଭାଷାର ବିକାଶ ସହ ସାଂସ୍କୃତିକ ପ୍ରଗତି ସମ୍ଭବ ହୋଇପାରିବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାଷା ମାଧ୍ୟମରେ ସାଂସ୍କୃତିକ ବିବିଧତାକୁ ଲୋକାଭିମୁଖୀ କରିବା ତଥା ବହୁଭାଷାର ଗୁରୁତ୍ୱକୁ ପ୍ରାଧାନ୍ୟ ଦେବା ଦ୍ୱାରା ଭାଷା-ଏକତା ସୃଷ୍ଟି ହୋଇପାରିବ। ପୃଥିବୀରେ ବର୍ତ୍ତମାନ ପ୍ରାୟ ୭୦୦୦ ଭାଷା ପ୍ରଚଳିତ ଥିବାବେଳେ ପାଖାପାଖି ୪୦୦୦ ଭାଷା ବିଲୁପ୍ତ ପ୍ରାୟ ଅବସ୍ଥାରେ ଅଛି।ତେଣୁ ଭାଷାକୁ ନେଇ ସମଗ୍ର ପୃଥିବୀର ସ୍ଥିତି ଚିନ୍ତାଜନକ। ଭାରତରେ ପ୍ରାୟ ୪୫୦ ଭାଷା ପ୍ରଚଳିତ ଥିବାବେଳେ ସେଥିରୁ ପ୍ରାୟ ଏମିତି ୧୦ଟି ଭାଷା ଅଛି ଯାହା କହୁଥିବା ଲୋକଙ୍କ ସଂଖ୍ୟା ୧୦୦ ରୁ ମଧ୍ୟ କମ୍। ମାତୃଭାଷା ପ୍ରତି ଆମର ପ୍ରତିବଦ୍ଧତା ରହିଲେ ହିଁ ଭାଷାର ବିକାଶ ସହ ସାଂସ୍କୃତିକ ପ୍ରଗତି ସମ୍ଭବ ହୋଇପାରିବ। ମାତୃଭାଷା ବ୍ୟତୀତ କୌଣସି ଦେଶ, ଜାତି ବା ସମାଜର ସଂସ୍କୃତି ବିଷୟରେ କଳ୍ପନା କରାଯାଇନପାରେ ବୋଲି ଆଜି ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ନୟାଗଡର ୟୁନିଟେକ ମହାବିଦ୍ୟାଳୟ ପରିସରରେ ୟୁନିଟେକର ନିର୍ଦ୍ଦେଶକ ପ୍ରଦୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଂସ୍କୃତି ଗବେଷକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ବସିରନ୍ ବିବି ଓ ଅଧ୍ୟାପିକା ବିନ୍ଦୁଲତା ଷଣ୍ଢ ଯୋଗଦେଇଥିଲେ। ସମାଜସେବୀ ଓ କବି ଆଶୁତୋଷ ଦାସ ମାତୃଭାଷା ଦିବସ ପାଳନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବାସହ ଏଥିପାଇଁ ଯୁବସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀ ରାଜଶ୍ରୀ ସାହୁ, ଅଧ୍ୟାପିକା ଐଶ୍ୱର୍ଯ୍ୟା ପ୍ରିୟଦର୍ଶିନୀ, ସ୍ୱାଗତିକା ବେହେରା,କବି ଅଶୋକ ନାୟକ ପ୍ରମୁଖ ବହୁଭାଷୀ କବିତା ପାଠ କରିଥିଲେ।

Related posts