ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୧୦ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୮୫ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୫ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୮ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨୦ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ସହାୟତା ମଂଜୁର କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ମୁଖ୍ୟ ଉନ୍ନୟନ ଅଧିକାରୀ- ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଶକ୍ତିକାନ୍ତ ରାୟ, ଭାପୁର ବ୍ଳକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାପୁର, ତହସିଲଦାର ଭାପୁର, ଡେପୁଟୀ କଲେକ୍ଟର(ଅଭିଯୋଗ) ଆୟୁଶୀ ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାପୁର, ଭାରପ୍ରାପ୍ତ ଥାନା ଅଧିକାରୀ ଭାପୁର, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ସହଯୋଗ କରିଥିଲେ ।

