ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା କୋରପିଠା ଗ୍ରାମର ଗଙ୍ଗା
ନାହାକ (୬୫) ଶୁଳିଆ ସଂରକ୍ଷିତ ଜଙ୍ଗଲକୁ ଛେଳି ଚରାଉଥିବା ସମୟରେ
ଗୟଳ ଆକ୍ରମଣର ଶିକାର ହୋଇଥିଲେ। ଗାଁର କିଛି ମହିଳା ପହଂଚି ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ଼ ମେଡ଼ିକଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଗଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅପରାହ୍ନ ୨ଘଟିକା ସମୟରେ ଗଙ୍ଗା ନିକଟସ୍ଥ ଶୁଳିଆ ଜଙ୍ଗଲକୁ ଛେଳି ନେଇ ଯାଇଥିଲେ। ଛେଳି ଚରୁଥିବା ସମୟରେ ଏକ ଗୟଳ ଜଙ୍ଗଲରୁ ବାହାରି ଆସି ଗଙ୍ଗାଙ୍କୁ ଆକ୍ରମଣ କରିଥିଲା। ଗୟଳ ଏତେ ଭୟଙ୍କର ଥିଲା ଯେ ଗଙ୍ଗାଙ୍କୁ ତଳେ ପକାଇ ରକ୍ତାକ୍ତ କରି ଚାଲିଥିଲା। ଗୟଳ ଆକ୍ରମଣରେ ଗଙ୍ଗା ଚିତ୍କାର କରିବାରୁ ଆଖପାଖରେ ଥିବା ଚାରିରୁ ପାଞ୍ଚଜଣ ମହିଳା ଘଟଣା ସ୍ଥଳରେ ପହଂଚିଥିଲେ ଏବଂ ଗଙ୍ଗା ତଳେ ପଡି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ସମସ୍ତେ ମହିଳା ସାହାସ ଜୁଟାଇ ହାତରେ ବାଡ଼ି ଧରି ଗୟଳକୁ ଘଉଡ଼ାଇବାରୁ ଗୟଳଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ସମସ୍ତେ ମିଶି ଗଙ୍ଗାଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ନେଇଥିଲେ। ଡ଼ାକ୍ତର ସେଠାରେ ଗଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ।