ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ନିକଟସ୍ଥ ଗୋଡିବିଡ଼ା-ଅଭୟପୁର ମଧ୍ୟରେ ଯାତ୍ରୀବାହୀ ବସ୍ କାଳେଶ୍ୱର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍ ଓଲଟିବାରୁ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କଲ୍ୟାଣୀ ପଣ୍ଡା ସେ ଦଶପଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର ଥିଲେ। ଗୁରୁତର ୩ ଜଣଙ୍କ ମଧ୍ୟରେ ଅଛନ୍ତି ଡ୍ରାଇଭରଙ୍କ ସମେତ ୨ ଯାତ୍ରୀ ଲିଲୁକନ ବେହେରା ଓ ଟିଟୁନା ସାହୁ। ଗୁରୁତର ତିନି ଜଣଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଭଂଜନଗରରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଭିମୁଖେ ଆଜି ଅପରାହ୍ନରେ ଏକ ଘରୋଇ ବସ୍ ‘କାଳେଶ୍ବର’ ବାହାରିଥିଲା। ଯାତ୍ରବାହୀ ବସ୍ଟି ଦଶପଲ୍ଲାରେ ପହଂଚିବା ପୂର୍ବରୁ ରାତି ପ୍ରାୟ ୯ଟାରେ ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବ୍ୟାଙ୍କ ମ୍ୟାନେଜର କଲ୍ୟାଣୀ ପଣ୍ଡାଙ୍କର ମୃତ୍ୟୁ ହୋଇଥିଲା ବେଳେ ଡ୍ରାଇଭରଙ୍କ ସମେତ ଯାତ୍ରୀ ଲିଲୁକନ ବେହେରା ଓ ଟିଟୁନା ସାହୁ ଗୁରୁତର ହୋଇଥିଲେ। ୩ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ତେବେ ବସ୍ଟି ଦୁର୍ଘଟଣାର ସାମ୍ନା କରିବା ପରେ ଯାତାୟତ ପ୍ରଭାବିତ ହୋଇଛି। ସ୍ଥାନୀୟ ଲୋକଙ୍କର ସାହାଯ୍ୟରେ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି।
ଦଶପଲ୍ଲା ନିକଟରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍ କାଳେଶ୍ୱର; ବ୍ୟାଙ୍କ ମ୍ୟାନେଜର ମୃତ, ୩ଗୁରୁତର
