ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୪୮ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୩୩ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୩ଗୋଟିର ଶୁଣାଣି କରାଯାଇ ସମୁଦାୟ ୪୯ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୧ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ. ୨୧୯,୦୦୦/- ଏବଂ ରେଡକ୍ରସରୁ ୦୧ଜଣ ଦରଖାସ୍ତକାରୀଙ୍କୁ ଟ.୧୫୦୦୦/- ଆର୍ଥିକ ଅନୁଦାନ ମଂଜୁର କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଡା. ଟୁଡ଼ୁ ଅତୀତ ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା କେସଗୁଡ଼ିକ ଆସନ୍ତା ଜନଶୁଣାଣି ଶିବିର ମଧ୍ୟରେ ଫଇସଲା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି, ମୁଖ୍ୟ ଉନ୍ନୟନ ଅଧିକାରୀ-
ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଦଶପଲ୍ଲା, ତହସିଲଦାର ଦଶପଲ୍ଲା, ଜିଲ୍ଲାସ୍ତରୀୟ ପଦାଧିକାରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଡା. ଟୁଡୁଙ୍କୁ ସହଯୋଗ କରିଥିଲେ । ପରେ ପରେ ଅପରାହ୍ନ ଘ.୦୩.୩୦ମି. ସମୟରେ ଜିଲ୍ଲାପାଳ ତା.ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ବାଇପାସ୍ ନିର୍ମାଣ ସମ୍ବନ୍ଧରେ ପଂଚାୟତ ସମିତି ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଜମି ହରାଉଥିବା ଜନସାଧାରଣଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ ଦଶପଲ୍ଲା ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଦଶପଲ୍ଲା ବ୍ଲକ୍ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
