୧୯୮୮ମସିହାରୁ ବୃକ୍ଷରେ ରାକ୍ଷୀ ବାନ୍ଧି ଆସୁଛନ୍ତି ଗ୍ରାମବାସୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଆଜି ସର୍ବତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦଉତ୍ସାହର ସହ ପାଳିତ ହୋଇଛି । ଏହି ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ  ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି ନିଆରା ପରମ୍ପରା ସହ ବାନ୍ଧି ହୋଇଯାଇଛନ୍ତି । ଗଛ ମାନବ ସମାଜ ପାଇଁ ସବୁଠାରୁ ଦରକାରୀ ହୋଇଥିବାରୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ରକ୍ଷାବନ୍ଧନ ତିଥିରେ ଗଛରେ ରାକ୍ଷୀ ବାନ୍ଧି ଥାନ୍ତି। ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମରେ ୧୯୮୮ମସିହା ଠାରୁ ଏଭଳି ପରମ୍ପରା ଚାଲି ଆସିଛି । ଅପରାହ୍ନରେ ପ୍ରଥମେ ଗ୍ରାମର ବୟସ୍କ ବ୍ୟକ୍ତି ମାନେ ନୂଆ ଲୁଗା ପିନ୍ଧି ଗଛରେ ରାକ୍ଷୀ ବାନ୍ଧି ସାରିବା ପରେ ଗହ୍ମାଡିଆଁ ପର୍ବ ପାଳନ କରିଥାନ୍ତି। ମା ମଣୀନାଗ ଆଂଚଳିକ ଯୁବ ସଂସଦର ସଭାପତି ନିକୁଞ୍ଜ କିଶୋର ପ୍ରଧାନ, ସଂପାଦକ ରାଜେଶ୍ କୁମାର ଜାନି, କୋଷାଧ୍ୟକ୍ଷ ଶୁଭକାନ୍ତ ଜାନି ଓ ସାମ୍ବାଦିକ ରତ୍ନାକର ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ବନପାଳ(ବନ୍ୟପ୍ରାଣୀ) ଦୀପ୍ତି ରଂଜନ ଆଚାର୍ଯ୍ୟ, ବନପାଳ ଦୀପ୍ତି ରଂଜନ ନାୟକ, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ମଦନ କୁମାର ଜାନୀ, ସ୍ଥାନୀୟ ସମିତି ସଭ୍ଯ ପ୍ରଶାନ୍ତ ଦଳବେହେରା, ପ୍ରଶାନ୍ତ ସାହୁ, ବନବିଭାଗ କର୍ମଚାରୀ ରସାନନ୍ଦ ମାଝି, ଯୋଗ ଦେଇ ବୃକ୍ଷ ମାନବ ସମାଜ ପାଇଁ କେତେ ଦରକାରୀ ସେ ଉପରେ ଆଲୋଚନା କରିଥିଲେ । ବୃକ୍ଷ ବିନା ମାନବ ସମାଜର ସ୍ଥିତି ନାହିଁ ବୋଲି ସମସ୍ତ ଦୃଢ଼ କଣ୍ଠରେ ସ୍ବୀକାର କରିବା ସହିତ ବୃକ୍ଷ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତେ ବ୍ରତି ହେବାପାଇଁ ଶପଥ ଗ୍ରହଣ କରିଥିଲେ ।  ଗ୍ରାମର ବରିଷ୍ଠ ନାଗରିକ ନିତ୍ୟାନନ୍ଦ ପ୍ରଧାନ, ପରମାନନ୍ଦ ମଳିକ, ପ୍ରମୋଦ କୁମାର ଜାନୀଙ୍କ ସମେତ ଗ୍ରାମବାସୀ ଏକତ୍ର ହୋଇ ବଟବୃକ୍ଷରେ ରକ୍ଷାବନ୍ଧନ କରିବା ସହିତ ଏହି ଉତ୍ସବକୁ ମହା ସମାରୋହରେ ପାଳନ କରିଥିଲେ ଓ ସମସ୍ତଙ୍କ ଶୁଭ ମନାସିଥିଲେ । ଏହା ପରେ ପରେ ପାରଂପାରିକ ରିତିରେ ଛୋଟ ଛୋଟ ପିଲାମାନେ ଗହ୍ମାପର୍ବ ପାଳନ କରିଥିଲେ।

Related posts