ନୟାଗଡ଼ ଗଡ଼ଜାତର ତ୍ରୈକାଳିକ ମହିମମୟ ବିସ୍ତୃତି ପ୍ରଖ୍ୟାପନ ଏକ ବିଜ୍ଞାପନ ନୁହେଁ । ଭୂମି-ସଂପ୍ରୀତିବୋଧ ଓ ଐତିହ୍ୟ-ଅସ୍ମିତାର ପୃଷ୍ଠଭୂମିରେ ଜୀବନ୍ୟାସର ସଂସ୍ଥିତି ଅନ୍ୱେଷଣର ପରିପଥରେ ନୟାଗଡ଼ ପଞ୍ଚଭୂତରେ ଏକ ସମ୍ମିଶ୍ରିତ ଚିତ୍ରାର୍ପିତ ଦନ୍ତକଥା ନୁହେଁ । ଧର୍ମୀୟ, ସାଂସ୍କୃତିକ ଓ ନୃତାତ୍ତ୍ୱିକ ପରିଶୀଳନ କ୍ଷେତ୍ରରେ ଏହାର ସମୁଜ୍ୱଳତା ପରିଲକ୍ଷଣୀୟ । ମହାକାଳର ଚୋରାବାଲିରେ କେତେ ବିଲୁପ୍ତି ମଧ୍ୟରେ ବି ଆଲୋକର ଏକ ପ୍ରତୀକ-ସ୍ଥିତି ହେଉଛି ନୟାଗଡ଼ । ରାଜା, ମହାରାଜା, ସ୍ଥପତି, ଭାସ୍କର, କବି-ପୁରୁଷ, ଦାର୍ଶନିକ ବର୍ଗର ବିଭୂତିରେ ନୟାଗଡ଼ ଏକ ଭିନ୍ନ ଚେତନାର ନୈମିଷାରଣ୍ୟ । ଏହା ସହିତ ଜଡ଼ିତ କେତେ ଉପକଥା, ପ୍ରବଚନ, ପ୍ରବାଦ, ରୂଢ଼ି, ଢଗଢମାଳି ଓ ଅତୀତକା । ସାଧରଣ ମଣିଷର ଆବେଗ, ପ୍ରବେଗ, ସଂବେଗ, ନୟାଗଡ଼ ମାଟିର ସ୍ୱପ୍ନ ଓ କଳ୍ପନାରେ ସଦାସର୍ବଦା ଆଣନ୍ତି ବିଭୋରତା ଓ କର୍ମ ପ୍ରବଣତାର ମନ୍ତ୍ରପାଠୀୟ ସ୍ୱାନୁରାଗ । ବିସ୍ତୃତିର କରାଳ ଗର୍ଭରେ ବିଲୀନ ହେବାର ଚିରନ୍ତନ ଧର୍ମଭିତରେ ବି ଆମ ପ୍ରୀତି-ପ୍ରତ୍ୟୟର ସାର୍ବଜନୀନ ଭୂମି ନୟାଗଡ଼ ଜାଗୃତି, ସ୍ୱପ୍ନ ଶୟନରେ ଏକ ନିର୍ବିକଳ୍ପ ଚେତନାର ଆଦିଭୂମି । ଏହି ଆଦିଭୂମି ଚିରବନ୍ଦନୀୟା, କମନୀୟା ଓ ଭିନ୍ନ ବର୍ଣ୍ଣରେ ଆକର୍ଷଣୀୟା । ଏହାର ପଟାନ୍ତର ନାହିଁ ।
ନୟାଗଡ଼ର ଏହି ଅସରା ଓ ଅପାଶୋରା ବିଭବକୁ ନେଇ ହରିଶ୍ ପ୍ରଧାନ (ଗୀତକଳ୍ପ)ଙ୍କ ସଙ୍କଳିତ ‘ନୟାଗଡ଼ ଜ୍ଞାନ’ ଗ୍ରନ୍ଥଟି ସବିଶେଷ ରୂପରେ ସମୃଦ୍ଧ । ପାଠକୀୟ ଚିତ୍ତବୃତ୍ତି ଓ ଆହରଣ ପ୍ରବୃତ୍ତିକୁ ଦୃଷ୍ଟିରେ ରଖି ପୁସ୍ତକଟିର ଛତ୍ରେଛତ୍ରେ ଯତ୍ପରୋନାସ୍ତି ପ୍ରଚେଷ୍ଟା କରାଯାଇଅଛି । ଆଶା-ବିଶ୍ୱାସ ଏହି ଗ୍ରନ୍ଥଟି ନୟାଗଡ଼ର ଜିଜ୍ଞାସୁ ପାଠକବର୍ଗ ପାଇଁ ଏକ କ୍ଷୁଦ୍ର ଆଲୋକ ବର୍ତ୍ତିକା ରୂପେ ସ୍ଥିତିଶୀଳ ହୋଇ ପ୍ରତିସ୍ଥଳରେ ଜ୍ଞାନର ଆଲୋକ ବିତରଣ କରିପାରିବ ।
ପ୍ରକାଶକ
ଦର୍ପଣ ପବ୍ଳିକେଶନ