ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କ ବିଦାୟ ତଥା ଓଡ଼ିଶା ୧୫ତମ ନବ ନିଯୁକ୍ତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିବା ଲାଗି କିଏ କେତେ ପ୍ରକାରେ ଉତ୍ସବ ମନାଇବାରେ ଲାଗି ପଡିଛନ୍ତି। ହେଲେ ପରିବେଶ ସୁରକ୍ଷା ଓ ସମାଜ ସେବା ଦିଗରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡ଼ଗାଁ କୁରାଳ ଅରୋମୀରା ଟ୍ରଷ୍ଟ ପକ୍ଷରୁ ଆଜି ଉଭୟ ପରିବେଶ ସୁରକ୍ଷା ରାଷ୍ଟ୍ରପତି ଦ୍ବୟଙ୍କ ସମ୍ମାନାର୍ଥେ କୁରାଳ ଓ କୋମଣ୍ଡ ପଥ ପାର୍ଶ୍ଵ ରାସ୍ତାରେ ଦୁଇଟି ବର ଓ ଅଶ୍ୱତ୍ଥ ଗଛ ସ୍ଥାନୀୟ ଜନ ପ୍ରତିନିଧି ଓ ପରିବେଶ ସାଥିମାନଙ୍କ ସହାୟତାରେ ଶ୍ରଦ୍ଧା ଭକ୍ତି ସହକାରେ ଗଛ ଲଗାଅ ଜୀବନ ବଞ୍ଚାଅ, କଳିଯୁଗର ଶିବ କିଏ ଗଛ ନୁହେଁ ତ ଆଉ କିଏ ଇତ୍ୟାଦି ସ୍ଲୋଗାନ ଦେଇ ବୃକ୍ଷ ରୋପଣ କରିଥିଲେ।

କୁରାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜନ୍ କୁମାର ପାଇକରାୟ ଓ ସମିତି ସଭ୍ୟା କନକ ପାତ୍ର, କୋମଣ୍ଡ ଗ୍ରାମ ପଞ୍ଚାୟତ ସରପଞ୍ଚ ସନ୍ତୋଷ କୁମାର ସେଠୀ, ନାଏବ ସରପଞ୍ଚ କୈଳାସ ଚନ୍ଦ୍ର ପୃଷ୍ଟି, ପୂର୍ବତନ ସରପଞ୍ଚ ନୀଳମଣି ସାହୁ, କୋମଣ୍ଡ ସେବାସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ମିଶ୍ର, ପରିବେଶ ସାଥି  ସୀମାଚଳ ସାହୁ, ପାଣୁ ଚରଣ ଖଟେଇ, ବୁଲୁ ପାତ୍ର, ସନୋଜ ରାଉତ ଇତ୍ୟାଦି ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହିତ ବିଶ୍ଵ ଜଳବାୟୁ ପରିବର୍ତ୍ତନରେ ବୃକ୍ଷର ଭୂମିକା ସମ୍ପର୍କ ଉପରେ ଆଲୋକପାତ କରିବା ସହିତ ନିଜ ଅଞ୍ଚଳକୁ ସବୁଜ ସୁନ୍ଦର କରି ଗଢ଼ିବା ନିମନ୍ତେ ସଂକଳ୍ପ ନେଇଥିଲେ । ଅରୋମୀରା ଟ୍ରଷ୍ଟ ପରିଚାଳକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ କାର୍ଯ୍ୟକ୍ରମର ସଂଯୋଜନା କରିବା ସହିତ ଆଗକୁ ଟ୍ରଷ୍ଟ ତରଫରୁ ବ୍ୟାପକ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ରାସ୍ତାକୁ ଦ୍ରୌପଦୀ ମୁର୍ମୁ ଙ୍କ ସମ୍ମାନାର୍ଥେ ଦ୍ରୌପଦୀ  ମୁର୍ମୁ ମାର୍ଗ ରଖିବାକୁ ରାଜ୍ୟ ସରକାରଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଅନୁରୋଧ କରିଛନ୍ତି।

Related posts