ଦଶପଲ୍ଲା ପୋଲିସକୁ ବଡ଼ ସଫଳତା। ଡକାୟତ ଗ୍ୟାଙ୍ଗର ୭ସଦସ୍ୟ ଗିରଫ, ବନ୍ଧୁକ ଜବତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା-ଗଣିଆ ରାଜ୍ୟ ରାଜପଥରେ ପଥଚାରୀଙ୍କ ଠାରୁ ଦୈନିକ ଲୁଟପାଟ କରୁଥିବା ଏକ କୁଖ୍ୟାତ ଡ଼କାୟତ ଗ୍ୟାଙ୍ଗର ୭ସଦସ୍ୟ ଗିରଫ। ଦଶପଲ୍ଲା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି, ରାହାଜନୀ ବଢ଼ିବଢି ଚାଲିଥିବା ବେଳେ ଦଶପଲ୍ଲା ଥାନାରେ ନୂତନ କରି ଯୋଗଦେଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ମିଳିଛି ବଡ଼ ସଫଳତା। ଶ୍ରୀ ସାହୁ ଥାନାରେ ଯୋଗ ଦେଉଦେଉ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବା ସହ କିଛିଦିନ ହେବ ନିଜେ ଅହରହ ପାଟ୍ରୋଲିଂ ଚଳାଇଥିଲେ।

ଏହି କ୍ରମରେ ଗତ ୨୦ତାରିଖ ବୁଧବାର ରାତ୍ରି ପ୍ରାୟ ୧୦ଘଣ୍ଟିକା ସମୟରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଦଶପଲ୍ଲା ନିକଟ ଘୋଳାହାଣ୍ଡି ନିକଟ ତାଲେରା ଠାରେ ଥିବା ଭୂଇଁଆଣୀ ମନ୍ଦିର ପାଖରେ ଚଢ଼ାଉ କରିଥିଲା। ସେଠାରେ ପୋଲିସକୁ ଦେଖି କିଛି ଯୁବକ ଛତ୍ରଭଙ୍ଗ ଦେଇଥିବାବେଳେ ଆଉ କିଛି ଯୁବକ ଏକ କାର ଯୋଗେ ଯାହାର ଦୁଇଟି ନମ୍ବର ଥିବା (OR 05 V6566) ଏବଂ (WB 02 Z 1376) ମାରୁତି ୱାଗନଆରରେ ପଳେଇ ଯିବା ପାଇଁ ଚେଷ୍ଟା କରିଥିଲେ। ଅବିଳମ୍ବେ ପୋଲିସ ସେହି କାରଟିକୁ ପିଛାକରି କାର ଭିତରେ ଥିବା ଏବଂ ଦୌଡ଼ି ପଳେଇଥିବା ୭ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

ସେମାନଙ୍କ ନିକଟରୁ ୨୨.୫୦୦କେଜି ଗଞ୍ଜେଇ, ୧ ଦେଶୀ ବନ୍ଧୁକ, ୪ଜୀବନ୍ତ ଗୁଳି, ୫ଟି ମୋବାଇଲ ଏବଂ ଭୂଇଁଆଣି ମନ୍ଦିର ଠାରେ ଛାଡି ପଳେଇଥିବା ୩ଟି ବାଇକ୍ ସହ କାରକୁ ଜବତ କରିଥିଲା। ସମସ୍ତ ୭ଜଣଙ୍କୁ ଥାନାକୁ ନେଇ ଜେରା କରିବା ପରେ ଏକ ଡ଼କାୟତ ଗ୍ୟାଙ୍ଗ ଚଳେଇଥିବା ପୋଲିସ ଜାଣିବାକୁ ପାଇଥିଲା। ସମ୍ପୃକ୍ତ ୭ଜଣ ଯଥା ଅରୁଣ କୁମାର ପ୍ରଧାନ ଓରଫ ମଣ୍ଟୁ(୨୯ବର୍ଷ), ରାଇମୋହନ ମଙ୍ଗରାଜ ଓରଫ ଟିପୁ(୨୯), ବ୍ରଜବନ୍ଧୁ ସାହୁ ଓରଫ ବ୍ରଜ(୩୦), ପ୍ରମୋଦ କୁମାର ସାହୁ ଓରଫ କାହ୍ନୁ(୨୮), ଅମିୟ ମହାରଣା ଓରଫ ବବୁଲ(୨୬), ଜିତେନ୍ଦ୍ର ସାହୁ ଓରଫ ସିଲୁ(୨୮), ବିପିନ ରାଉତ(୨୯)ଙ୍କୁ ଗିରଫ କରିଛି ପୋଲିସ।

ଆଶ୍ଚର୍ଯ୍ୟକର କଥା ହେଲା ଜବତ ହୋଇଥିବା କାରର ଦୁଇଟି ନମ୍ବର ଥିବାବେଳେ ପଛ ପଟେ ଓକିଲ ସିମ୍ବଲ ରହିଥିବାର ଦେଖିବାକୁ ମିଳିଛି। ଆଇନଜୀବୀ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଅଞ୍ଚଳବାସୀଙ୍କୁ ଚକିତ କରିଛି। ଗୋଟେ ବଡ଼ ଧରଣର ଡକାୟତ ଗ୍ୟାଙ୍ଗକୁ ଗିରଫ କରାଯାଇଛି ବୋଲି ଦଶପଲ୍ଲା ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ସମସ୍ତ ୭ଜଣ ଅଭିଯୁକ୍ତମାନଙ୍କ ଘର ଦଶପଲ୍ଲା ନିକଟ ମଧ୍ୟଖଣ୍ଡ ଗ୍ରାମ ହୋଇଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Related posts