ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆମେରିକାରେ ଚମକ ଦେଖାଇଛନ୍ତି ଦଶପଲ୍ଲାର ପୁଅ। ଆମେରିକାର ପୋର୍ଟଲ୍ୟାଣ୍ଡ ଠାରେ ପୃଥିବୀର ସମସ୍ତ ଦେଶର ଉଦ୍ଭିଦ ବୈଜ୍ଞାନିକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଶିଖର ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ଜରିପାଟଣା ଗ୍ରାମର ଜୟକୃଷ୍ଣ ବେହେରାଙ୍କ ପୁଅ ଜ୍ୟୋତି ରଂଜନ ବେହେରା(୨୬)। ଏବେ ସେ ଆମେରିକାର ଇଷ୍ଟ ଟେନେସି ଷ୍ଟେଟ୍ ୟୁନିଭରସିଟିର ବାୟୋଲୋଜିକାଲ୍ ପିଏଚ୍ଡି ଗବେଷଣାରେ ଅଧ୍ୟୟନରତ ଅଛନ୍ତି।

ଗତ ୯ ତାରିଖ ଠାରୁ ପୋର୍ଟଲ୍ୟାଣ୍ଡ ଠାରେ ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପୃଥିବୀର ପ୍ରାୟ ଦେଶର ୧ହଜାର ୫ଶହ ବୈଜ୍ଞାନିକ ଭାଗ ନେଇଥିଲେ। ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ହୋଇ ଚାଲିଥିବା ବେଳେ ଏହାକୁ କିଭଳି ପ୍ରତିକାର କରାଯାଇପାରିବ ତାହାରି ଉପରେ ସମାଧାନର ବାଟ ଖୋଜିବା ପାଇଁ କୁହାଯାଇଥିଲା। ଯାହାକି କେଉଁ ପ୍ରତିକାର ବଳରେ ଏହାକୁ ରୋକାଯାଇ ପାରିବ ସେ ଉପରେ ସମାଧାନର ବାଟ କ’ଣ ରହିବ ୪୮ ଘଣ୍ଟା ମଧ୍ୟରେ ଏହାର ପ୍ରତିକାରର ସୂତ୍ର ବାହାର କରିବାକୁ କୁହାଯାଇଥିଲା। ଯେଉଁଥିରେ ଜ୍ୟୋତି ରଂଜନ ନୂତନ ଏକ ପ୍ରତିକାର ବ୍ୟବସ୍ଥା ଆପଣାଇ ଖାଦ୍ୟ ଉତ୍ପାଦନ ଗଛରୁ ପ୍ରସ୍ତୁତ ନହୋଇ ଅଲଗା ଉପାୟରେ କିଭଳି ପ୍ରସ୍ତୁତ ହେବ, ସେନେଇ ଏକ ସମାଧାନର ବାଟ ବାହାର କରିଥିଲେ।

ଗୋଟିଏ ଜୀବକୋଷରୁ ଏକ ଚକୋଲେଟ ଉତ୍ପାଦନ ହେବ। ଯାହାଦ୍ବାରା ଜଳ ଓ ଅଙ୍ଗାରକାମ୍ଳ ବାୟୁର ଅପଚୟକୁ ରୋକାଯିବା ସହ କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ ହେବ ତାର ପ୍ରଣାଳୀ ବାହାର କରିଛନ୍ତି। ଫଳରେ ଏହି ପ୍ରଣାଳୀ ବିଶ୍ବ ଜଳବାୟୁ ଉପରେ ପ୍ରଭାବ ପକାଇ ପାରିବ। ବିଶ୍ବ ବୈଜ୍ଞାନିକଙ୍କୁ ପଛରେ ପକାଇ କମିଟି ଦ୍ବାରା ଏହି ପ୍ରଣାଳୀ ବେଶ୍ ଆଦୃତି ଲାଭ କରିଥିବା ବେଳେ ସମ୍ମିଳନୀରେ ପ୍ରଥମସ୍ଥାନ ଅଧିକାର କରି ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଏଥପାଇଁ ତାଙ୍କୁ ଏକ ମାନପତ୍ର ସହ ୧ ହଜାର ଡଲାର ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଛି। ଏହାପରେ ଏହି ପ୍ରଣାଳୀକୁ ଆପଣାଇବା ପାଇଁ ଏବେ ବହୁତ ବଡବଡ କମ୍ପାନୀଙ୍କ ସୁଅ ଛୁଟିଥିବା ପ୍ରକାଶ କରିଛନ୍ତି। ସୂଚନା ଥାଉକି ଜ୍ୟୋତି ରଂଜନ ହେଉଛନ୍ତି ୨୦୧୦ ବ୍ୟାଚର ଦଶପଲ୍ଲା ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ର।
