କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତଙ୍କ ନୟାଗଡ଼ ଜିଲ୍ଲା ଗସ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଭା.ପ୍ର. ସେ. ନୟାଗଡ଼ ଗସ୍ତରେ ଆସି ପୂର୍ବାହ୍ନ ୯ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ ସହ କଂଟିଲୋ ନୀଳମାଧବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ତଦାରଖରେ ଯାଇଥିଲେ । ଅପରାହ୍ନ ୩ଘଟିକା ସମୟରେ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ, କ୍ଷୁଦ୍ର ଜଳସେଚନ, ଜଳସେଚନ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, କୃଷି, ପ୍ରାଣୀ ସଂପଦ, ମତ୍ସ୍ୟ, ଉଦ୍ୟାନ ବିଭାଗ, ମୃର୍ତ୍ତିକା ସଂରକ୍ଷଣ, ଶ୍ରମ ବିଭାଗ, ନଗର ଉନ୍ନୟନ ଇତ୍ୟାଦି ବିଭାଗର ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଧାନ ଚାଷ ସହିତ ମାଛ ଚାଷ, ଉଦ୍ୟାନ କୃଷି, କୁକୁଡ଼ା ଚାଷ, ଛେଳି ଓ ଘୁସୁରି ପାଳନ ପରି ଲାଭଜନକ ଚାଷ କଲେ ସୀମିତ ସମୟ ମଧ୍ୟରେ ଚାଷୀ ଅଧିକ ଉପକୃତ ହୋଇପାରିବ । ଏଥିପାଇଁ ସଂପୃକ୍ତ ବିଭାଗମାନେ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଯୋଜନବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମନ୍ବିତ ଚାଷ ପାଇଁ ଚାଷୀମାନଙ୍କୁ ପରାମର୍ଶ, ତାଲିମ, ଆର୍ଥିକ ସହାୟତା, ଉତ୍ପାଦର ବିକ୍ରି ପାଇଁ ବିସ୍ତୃତ ରୋଡ୍ ମ୍ୟାପ ପ୍ରସ୍ତୁତ କରି କାର୍ଯ୍ୟ କଲେ ଏ ଅଂଚଳର ଚାଷୀର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆସିବ, ତତ୍ସହିତ ଜିଲ୍ଲାର ମଧ୍ୟ ଆର୍ଥିକ ବିକାଶ ଘଟିବ। ସନ୍ଧ୍ୟାରେ କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତ ନିର୍ମାଣଧିନ ବାଲାଙ୍ଗି ପାର୍କ ପରିଦର୍ଶନ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Related posts