ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟର ନିର୍ଦ୍ଦେଶକ ଶ୍ରୀ ବିନୟ କୁମାର ପ୍ରଜାପତି, ବରିଷ୍ଠ ବୈଜ୍ଞାନିକ ତଥା ବୈଷୟିକ ଅଧିକାରୀ(Hydro Geology) ଶ୍ରୀ ସୁଦର୍ଶନ ସାହୁଙ୍କ ସହ ଏକ କେନ୍ଦ୍ରୀୟ ଦଳ ଆଜି ନୟାଗଡ଼ ଜିଲ୍ଲାକୁ ଗସ୍ତ କରି ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଜଳଶକ୍ତି ଅଭିଯାନ ଉପରେ ସମୀକ୍ଷା କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସଭାଗୃହରେ ମଧ୍ୟାହ୍ନ ୦୧ଘଟିକା ସମୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସମୀକ୍ଷା ବୈଠକରେ ନଗର ଉନ୍ନୟନ ବିଭାଗ, ଜଙ୍ଗଲ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ମୃର୍ତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଉଠା ଜଳସେଚନ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ପଂଚାୟତରାଜ୍ ଓ ପାନୀୟ ଜଳ ବିଭାଗ ଦ୍ବାରା କରାଯାଇଥିବା ପ୍ରକଳ୍ପ ଗୁଡ଼ିକର ତଥ୍ୟ projector ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା । ଜିଲ୍ଲାପାଳ ଡା. ଟୁଡୁ ସମସ୍ତ ପ୍ରକଳ୍ପ ଉପରେ ବିସ୍ତୃତଭାବେ କେନ୍ଦ୍ରୀୟ ଦଳକୁ ବୁଝାଇଥିଲେ । ଜିଲ୍ଲାରେ ଚାଲୁଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ବିଷୟରେ ଜାଣିବା ପରେ ବୈଷୟିକ ଅଧିକାରୀ ଶ୍ରୀ ସାହୁ ଖୁସିବ୍ୟକ୍ତ କରି ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ।
ଜଳଶକ୍ତି ଅଭିଯାନ ଉପରେ କେନ୍ଦ୍ରୀୟ ଦଳର ସମୀକ୍ଷା ବୈଠକ
