ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ଜନଶକ୍ତି ଉଚ୍ଚ ବିଦ୍ୟାଳୟ, ଚାହାଳିର ସୂବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଏହି ଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ପରେ ପରେ ବିଦ୍ୟାଳୟ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ଉଦ୍ଘାଟନୀ ଉତ୍ସବ ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟ ଆଲୁମିନି କମିଟିର ସଭାପତି ତ୍ରିନାଥ ସାର ଏହି ଉତ୍ସବରେ ସଭାପତିତ୍ବ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଭାଷଣରେ କହିଲେ ଯେ, ବିଦ୍ୟାଳୟ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅନେକ ପରିବର୍ତନ ହୋଇଛି । ବର୍ତମାନ 5T ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ ହୋଇଛି । ଇଟା ଓ ମାଟିରେ ତିଆରି ବିଦ୍ୟାଳୟଟି ଆଜି ମାର୍ବଲରେ ଝଲସୁଛି । ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ନାୟକ ଖୁବ୍ କମ ସମୟ ମଧ୍ୟରେ ଏହି ବିଦ୍ୟାଳୟକୁ କିପରି ରୂପାନ୍ତରଣ କରାଯାଇଛି ତାହା ପ୍ରକାଶ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର
ସାହୁ କହିଲେ ଯେ, ବିଦ୍ୟାର୍ଥୀମାନେ ସହନଶୀଳତା, ସହୃଦୟତା, ଦୟା , କ୍ଷମା, ଅଧ୍ୟବସାୟ ଆଦି ମହତ୍ ମାନବୀୟ ଗୁଣଗୁଡ଼ିକ ଦ୍ଵାରା ସଂସାରର ସମସ୍ତ ସଂଘର୍ଷକୁ ଅତିକ୍ରମ କରିପାରିବେ । ପରିବର୍ତ୍ତନଶୀଳ ସମାଜରେ ସେମାନେ ଜ୍ଞାନ ଆହରଣକାରୀରୁ ପରିବର୍ତ୍ତନକାରୀରେ ପରିବର୍ତ୍ତିତ ହେବେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ତଥା ପ୍ରଧାନ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ଅଂଚଳର ଗ୍ରାମବାସୀ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

