ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି । ଜୁମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରମୂଖ କବି ଓ ସାହିତ୍ୟିକମାନେ ଯୋଡ଼ି ହୋଇଥିବା ବେଳେ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରୁ ଶତାଧିକ ସାହିତ୍ୟିକ ଏବଂ ପ୍ରଶଂସକଙ୍କ ଗହଣରେ ପୁସ୍ତକ ଉନ୍ମୋଚନ ତଥା ଲୋକର୍ପଣ କାର୍ଯ୍ୟ ସମାପନ ହୋଇଛି । ଓଡ଼ିଆ ଗଳ୍ପ ସାହିତ୍ୟର ଧୂରୀଣ ସ୍ରଷ୍ଟା ଡ. ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକକୁ ଲୋକର୍ପିତ କରିବା ସହ କର୍ମ ଓ ଧର୍ମରେ ରାଜନେତା ଅରୁଣଙ୍କ ସାହିତ୍ୟ ପ୍ରତି ଥିବା ରୁଚି ଏବଂ ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ ସମ୍ବାଦ ‘କଥା’ର ସମ୍ପାଦକ ଡ. ଗୈାରହରୀ ଦାସ ଯୋଗ ଦେଇ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ଯୁବ ସମୟ ଉପରେ ଆଲୋକପାତ କରିବା ସହ ଯୁବ ବୟସରେ ବହୁ କାର୍ଯ୍ୟ କରାଯାଇପାରେ ବୋଲି ଉଦାହରଣ ଛଳରେ କହିଥିଲେ । ସୁବିଧା, ସୁଯୋଗ, ପ୍ରାଚ୍ୟୁର୍ଯ୍ୟ ସାରସ୍ୱତ ଜୀବନ ଉପରେ ପ୍ରଭାବ ପକାଇ ପାରେ ନାହିଁ ବୋଲି କହିଥିଲେ ।

‘ଯୌବନ’ର ସଂକଳକ ତଥା ସମ୍ପାଦକ ଡ. ସାହୁ ଅନେକ କିଛି ହାସଲ କରିବାର ସମସ୍ତ ସମ୍ଭାବନା ଯୌବନରେ ରହିଛି ବୋଲି କହିଥିଲେ । ସକରାତ୍ମକ ଦିଗରେ କାମ କଲେ ନକରାତ୍ମକ ଦିଗ ମଧ୍ୟ ସାଥିରେ ଚାଲିଥାଏ ବୋଲି କହିଥିଲେ । ଜୀବନ ସହ ମୃତ୍ୟୁ ତାଳ ଦେଇ ଚାଲିଛି, ଯୌବନରେ ସୃଜନଶୀଳତା ଭରପୂର ହୋଇରହିଛି । ଜଣେ ଚିନ୍ତାନାୟକଙ୍କ ସୃଜନଶୀଳତା ସମାଜର ଗତିପଥ ବଦଳାଇ ଦେଇପାରେ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିସହିତ ଲେଖକ, ପାଠକ, ପ୍ରକାଶକ ସାମ୍ମୁଖ୍ୟ ଦ୍ୱାରା ଆଗାମୀ ଦିନରେ ବହୁ କାର୍ଯ୍ୟ କରିବାର ଯୋଜନା ରହିଥିବା ମନ୍ତ୍ରୀ କାର୍ଯ୍ୟକ୍ରମ ଅବସରରେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ କଥାକାର ଡ. ଅରବିନ୍ଦ ରାୟ ଏବଂ ହିରଣ୍ମୟୀ ମିଶ୍ର ପୁସ୍ତକ ସମୀକ୍ଷା କରିବା ସହ ପୁସ୍ତକରେ ସ୍ଥାନ ପାଇଥିବା ୨୨ ଜଣ ତରୁଣ କଥାକାରଙ୍କ ଗଳ୍ପ ବିଷୟରେ ଆଲୋଚନା କରିଥିଲେ । ସମାଜର ବିଭିନ୍ନ କାର୍ଯ୍ୟରେ ରହିଥିବା ଏହି କଥାକାର ମାନଙ୍କ ଭିନ୍ନ ଭିନ୍ନ ଚିନ୍ତାଧାରାକୁ ନେଇ ରଚିତ ଗଳ୍ପକୁ ମନ୍ତ୍ରୀ ଏକାଠି କରି ଓଡ଼ିଆ ସାହିତ୍ୟ ପ୍ରତି ଏକ ବଳିଷ୍ଠ କାର୍ଯ୍ୟ ସମାପନ କରିଛନ୍ତି ବୋଲି ସମୀକ୍ଷା ଅବସରରେ କୁହାଯାଇଛି । ପକ୍ଷୀଘର ପ୍ରକାଶନର ମୁଖ୍ୟ ତଥା ସମ୍ପାଦକ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସଂଯୋଜନା କରିଥିଲେ ।

Related posts