ନୟାଗଡ଼,( ନୟାଗଡ଼ ଦର୍ପଣ): ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ଦର୍ଶକ ମାନଙ୍କ ହୃଦୟ ଛୁଇଁଥିଲା ଲୋକପ୍ରିୟ ମଞ୍ଚ ନାଟକ ‘ଦୂର ଆକାଶ’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ରବିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ବିଶିଷ୍ଟ ନାଟ୍ୟକାର ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଏହି ସଚେତନଧର୍ମି ମଞ୍ଚ ନାଟକଟି ବେଶ ଲୋକାଦୃତି ଲାଭ କରିଥିଲା । ମିରର୍ ଥିଏଟର, ବେଲପାହାଡର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକରେ ଆଜି ମୁଖ୍ୟ ଅତିଥିଭାବେ ଶିଳ୍ପପତି ତଥା ନାଟ୍ୟ କଳାକାର ସନ୍ତୋଷ କୁମାର ଶତପଥୀ, ନାଟ୍ୟ ବ୍ୟକ୍ତିତ୍ୱ ସୁବାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ମିଛମାୟା ସଂସାରରେ ବାପାର ଅନୁପସ୍ଥିତିରେ ମାଆ ପୁଅ ସମ୍ପର୍କର ଅନାବିଳ ସ୍ନେହ, ବାତ୍ସଲ୍ୟ ମମତା ତଥା ସାଂସାରିକ ଅଭାବ ଅସୁବିଧା ମଧ୍ୟରେ ପରିବାର ପ୍ରତିପୋଷଣ ଏବଂ ସାମାଜିକ ଦାୟିତ୍ୱବୋଧତା କିପରି ନିର୍ବାହ କରାଯାଏ ତାହକୁ ନିଖୁଣ ଅଭିନୟ ମାଧ୍ୟମରେ ମିରର ଥିଏଟରର କଳାକାର ମାନେ ବେଶ ପ୍ରତିପାଦିତ କରିପାରିଥିଲେ । ନାଟ୍ୟଧାରା ପରିବାରର ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ପରିଚାଳିତ ନାଟକ ଉତ୍ସବର ଷଷ୍ଠ ଦିବସର ଏହି ନାଟକଟିକୁ ଅଡିଟୋରିୟମରେ ଭରପୂର ଦର୍ଶକ ବେଶ ଉପଭୋଗ କରିଥିବା ବେଳେ ସପ୍ତମ ଦିବସରେ ରଙ୍ଗଶାଳା, ପୁରୀ ପକ୍ଷରୁ ନାଟକ ‘ଶବ ବାହକମାନେ’ ପରିବେଷିତ ହେବ ବୋଲି ନାଟ୍ୟଧାରା ପକ୍ଷରୁ ସୂଚନା ଦିଆଯାଇଛି।
ନାଟକ ମହୋତ୍ସବର ୬ଷ୍ଠ ସଂଧ୍ୟା: ମିରର ଥିଏଟରର ନାଟକ ‘ଦୂର ଆକାଶ’ ମଞ୍ଚସ୍ଥ
