ନୟାଗଡ଼ର ଗର୍ବ ଶ୍ରୁତି ସୁଲଗ୍ନା, ସାରା ଦେଶରେ ୨୦ଜଣଙ୍କ ମଧ୍ୟରେ ଶ୍ରୁତି

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ପାଇଁ ଗୌରବ ଆଣିଲେ ଶ୍ରୁତି ସୁଲଗ୍ନା। ଜାତୀୟ ସ୍ତରରେ ପାଳିତ ହୋଇ ଯାଇଥିବା କନ୍ୟାଦିବସରେ ବିଭିନ୍ନ ରାଜ୍ୟରୁ ବଛାବଛା ୭୫ଜଣ ବାଳିକାଙ୍କ ମଧ୍ୟରେ ଶ୍ରେଷ୍ଠ ୨୦ ଜଣରେ ସ୍ଥାନ ପାଇଛନ୍ତି ନୟାଗଡ଼ର ଝିଅ ଶ୍ରୁତି ସୁଲଗ୍ନା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ରାଧା ମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ଶ୍ରୁତି ରାଜ୍ୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇ ସର୍ବଭାରତୀୟ ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ପାଇଥିଲେ । ଏହି ଉପଲକ୍ଷେ ଗତ ୨୪ ତାରିଖରେ ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ଜାତୀୟ କନ୍ୟାଦିବସ ପାଳନ ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ବଛାବଛା ୭୫ଜଣ ବାଳିକା ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ୨୦ଜଣ ମଧ୍ୟରେ ସ୍ଥାନ ପାଇ ରାଜ୍ୟ ତଥା ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି କୁନି ଝିଅ ଶ୍ରୁତି । ଜାତୀୟ କନ୍ୟାଦିବସ ପାଳନ ଅବସରରେ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ଭାବନା କାନ୍ତଙ୍କ ସହିତ ବାର୍ତ୍ତାଳପ କରି ଭବିଷ୍ୟତରେ ଜଣେ ପାଇଲଟ ହେବାର ଲକ୍ଷ୍ୟ ରଖିଥିବା ସୁଶ୍ରୀ ଶ୍ରୁତି ସୁଲଗ୍ନା ତାଙ୍କଠାରୁ ବିଭିନ୍ନ ଜ୍ଞାନ ଆହରଣ କରିଥିଲେ । ଭାବନା ତାଙ୍କ ବାର୍ତ୍ତାରେ ଶ୍ରୁତିଙ୍କୁ ବହୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସୂଚନା ଯେଗ୍ୟଯେ ଶ୍ରୁତି ସୁଲଗ୍ନା ହେଉଛନ୍ତି ଦଶପଲ୍ଲା ନିବାସୀ କୁରେଶ ଚନ୍ଦ୍ର ସାହୁ ଏବଂ ଶୁଭଶ୍ରୀ ସନମ ଦାସଙ୍କ ଜ୍ୟେଷ୍ଠ କନ୍ୟା ହୋଇଥିବା ବେଳେ ବିଭିନ୍ନ ସମୟରେ ନିଜ ସାନ ଭଉଣୀ ପ୍ରୀତି ସୁଲଗ୍ନାଙ୍କ ସହିତ ମିଶି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସାମାଜିକ ସଚେତନତାର ବାର୍ତ୍ତା ଯଥା କରୋନା ନୟମ ମାନିବା, ଟ୍ରାଫିକ ନିୟମ, କନ୍ୟା ବଞ୍ଚାଅ, ଶିଶୁ ସୁରକ୍ଷା, ଜଙ୍ଗଲ ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ ସଙ୍ଗୀତ ଏବଂ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ଶ୍ରୁତି ସୁଲଗ୍ନାଙ୍କ ଏହି ବିରଳ କୃତିତ୍ୱ ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରସଂଶାର ସୁଅ ଛୁଟିଥିବା ବେଳେ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ନୟାଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ତରଫରୁ ଶୁଭେଚ୍ଛା ଓ ଉତ୍ସାହିତ କରାଯାଇଛି ।

Related posts