ନୟାଗଡ଼,(ନୟାଗଡ ଦର୍ପଣ): ଜାତୀୟ ସ୍ତରରେ ପ୍ରତିଷ୍ଠା ହୋଇଥିବା ଓଏମଜି ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ନୟାଗଡ଼ର ଯୁବକ । ନୂଆଗାଁ ବ୍ଲକ ଦୁରଦୁରା ଗ୍ରାମର ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁ ନିଜ ଗ୍ରାମରେ ପ୍ରତିଷ୍ଠା କରିଛନ୍ତି ଶ୍ରୀଜଗନ୍ନାଥ ସଂଗ୍ରାହଳୟ । ଏଥିରେ ବିଭିନ୍ନ ପ୍ରକାରର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ଵ ତାଳପତ୍ର ପୋଥି ମଧ୍ୟରେ ରହିଛି ୪୧୦ ଖଣ୍ଡ, ରାମାୟଣ, ୨୮୦ଖଣ୍ଡ ଭାଗବତ, ୫ଖଣ୍ଡ ତେଲଗୁ ପୋଥି, ଭାଗବତ ଗୀତା ୩୫୦ଖଣ୍ଡ ବୈଦ୍ୟଶାସ୍ତ୍ର ୫ଖଣ୍ଡ, ଚିତ୍ର କାବ୍ଯ ୫ଖଣ୍ଡ ଏବ ଅନ୍ୟାନ୍ୟ ପୋଥି ସଂଗ୍ରହ କରି ଯତ୍ନର ସହିତ ସାଇତି ରଖୁଛନ୍ତି ସେ । ପୁରାତନ ପୋଥି ସଂଗ୍ରହରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିଙ୍କ ନାମ ଓଏମଜି ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥାଏ । ଓଏମଜି ବୁକ୍ ଅଫ୍ ରେକର୍ଡ଼ର ସମ୍ପାଦନା ମଣ୍ଡଳୀ ଦ୍ଵାରା ଯାଞ୍ଚ କରାଯିବା ପରେ ସର୍ବୋତ୍ତମ ତାଳପୋଥି ବଗରେ ସଞ୍ଜୟଙ୍କୁ ମନୋନୀତ କରାଯାଇଛି । ୨୦୨୧ ମସିହା ନିମନ୍ତେ ସଞ୍ଜୟଙ୍କ ନାମ ଏହି ରେକର୍ଡରେ ସ୍ଥାନ ପାଇଛି । ଉଲ୍ଲେଖନୀୟ ଯେ, ବର୍ତ୍ତମାନ ସଞ୍ଜୟଙ୍କ ପାଠାଗାର ଓ ସଂଗ୍ରହାଳୟରେ ବହୁ ଦୁର୍ଲଭ ପୋଥି, ଆଦିବାସୀ ବ୍ୟବହାର କରୁଥିବା ବିଭିନ୍ନ ଉପକରଣ, ରାମ ଜନ୍ମଭୂମି ମାଟି ଓ ପଥର, ବିଭିନ୍ନ ତୀର୍ଥ କ୍ଷେତ୍ରରେ ପ୍ରବାହିତ ନଦୀରୁ ସଂଗୃହୀତ ଶିଳା, ପାଣିରେ ଭାସୁଥିବା ପଥର, ପୁରାତନ ପଞ୍ଜିକା, କ୍ୟାଲେଣ୍ଡର, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଉତ୍ତରୀୟ, ବିଭିନ୍ନ ଚେରମୂଳି ଔଷଧ, ଦେଶ ବିଦେଶର ୫୦୦ରୁ ଊର୍ଦ୍ଧ୍ଵ ଖବରକାଗଜ, ଶତାଧିକ ପ୍ରକାର ଖେଳ ସାମଗ୍ରୀ, ମହୁଫେଣା, ବାଇଚଡେଇ ବସା, ଡାକଟିକଟ, ବିଭିନ୍ନ ପ୍ରକାର ଦିଆସିଲ ଖୋଳ, ବିଭିନ୍ନ ଧରଣର ନିମନ୍ତ୍ରଣ ପତ୍ର, ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ଲିଖିତ ବିରଳ ପତ୍ରପତ୍ରିକା, ବିଭିନ୍ନ ଦେଶର ମୁଦ୍ରା ଓ ନୋଟ, ଦେଶବିଦେଶର ବିଭିନ୍ନ ପ୍ରକାର ଧାନ ସମେତ । ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ ଏଠାରେ ଯତ୍ନର ସହିତ ସାଇତି ରଖାଯାଇଥିବା ବେଳେ ବିଭିନ୍ନ ସମୟରେ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଅଭିଭାବକ ପରିଦର୍ଶନରେ ଆସିଥାନ୍ତି । ତେବେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓଏମଜି ରେକର୍ଡରେ ସ୍ଥାନ ପାଇବା ପରେ ବିଭିନ୍ନ ମହଲରୁ ସଞ୍ଜୟଙ୍କୁ ଶୁଭେଛାର ସୁଅ ଛୁଟିଛି।

