ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ରେ” ମୋ ସ୍କୁଲ ଅଭିଯାନ ” କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ଯାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ଯାଳୟ ମାନଙ୍କରେ କୌଣସି ବ୍ଯବସ୍ଥା ହୋଇ ନାହିଁ। ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏହି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ କରିବାକୁ ଯାଉଛନ୍ତି। ବିଦ୍ଯାଳୟ ପରିସରରେ ଏକ ଅନାଥ ଆଶ୍ରମ ଖୋଲିବା ପାଇଁ ସଂକଳ୍ପ ନେଇଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ପାତ୍ର ସଭାପତିତ୍ୱ କରିଥିଲାବେଳେ ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ଯିକ ଡକ୍ଟର ପବିତ୍ର କୁମାର ସୁବୁଦ୍ଧି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଅନାଥ ଆଶ୍ରମ ଗଢିବାର ସଂକଳ୍ପକୁ ଭୂୟସୀ ପ୍ରସଂଶା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ଦିଗରେ ବିଦ୍ଯାଳୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଅନୁଭବ ହେଉଛି ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ରାମକୃଷ୍ଣ ସେବାଶ୍ରମ, ଟିକାତାଳର ସହ- ସଂପାଦକ ଅଧ୍ଯାପକ ସର୍ବେଶ୍ୱର ସାହୁ ଯୋଗଦେଇ ଶ୍ରୀରାମକୃଷ୍ଣଙ୍କ ଭାବଧାରା ଓ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦ୍ଯାଳୟ ପରିଚାଳନା ହେଉଥିବାରୁ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ସାହୁଙ୍କୁ ଧନ୍ଯବାଦ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ବିଦ୍ଯାଳୟ ପ୍ରତିଥିବା ମମତ୍ବବୋଧକୁ ସାଧୁବାଦ ଜଣାଇ ଥିଲେ। ବିଦ୍ଯାଳୟକୁ ଭୂମି ଦାନ କରିଥିବା ବିଦ୍ଯାଳୟର ଟ୍ରଷ୍ଟି ତଥା ନୟାଗଡ଼ ମହାବିଦ୍ୟାଳୟର ଅଧ୍ଯାପକ ପ୍ରସନ୍ନ କୁମାର ବସନ୍ତିଆ ମଞ୍ଚାସୀନ ଥିଲାବେଳେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ପ୍ରାକ୍ତନ ଛାତ୍ର ବଳରାମ ସାହୁ ସ୍ବାଗତ ଭାଷଣରେ ବିଦ୍ଯାଳୟର ସଂପାଦକ ତଥା ବଡଗୁରୁଜୀ ଙ୍କ ବୌଦ୍ଧିକ ସନ୍ଦେଶ ଆମ ଜୀବନ ପାଇଁ ବହୁ ମୂଲ୍ଯବାନ ବୋଲି କହିଥିଲାବେଳେ ପ୍ରାକ୍ତନ ଛାତ୍ରୀ ବିଦ୍ଯାବିଜିତା ବିଦ୍ଯାଳୟର ଗୁରୁଜୀଗୁରୁମାଙ୍କ ମାର୍ଗଦର୍ଶନ ସମସ୍ତଙ୍କ ଠାରୁ ନିଆରା ବୋଲି କହିଥିଲେ। ଗତ ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବିଶ୍ବରୂପା ପଣ୍ଡା, ଅନୁଭବ ସାହୁ,ପ୍ରଦ୍ଯୁମ୍ନ କୁମାର ସାହୁ ଓ ବିଶ୍ବଜିତ ପଟ୍ଟନାୟକଙ୍କୁ ବିଦ୍ଯାଳୟର ଉପଦେଷ୍ଟା ହରିହର ପାତ୍ର ଙ୍କ ତରଫରୁ ଦୁଇ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ସହିତ ମେମେଣ୍ଟୋ ପ୍ରଦାନ କରାଯାଇ ଥିଲା। ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୨୦ ଜଣ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।

Related posts