ଯୋଗଦାନ କଲେ ରାଜ୍ୟର ପ୍ରମୁଖ ପାଞ୍ଚଟି ଜିଲ୍ଲାର କାର୍ଯ୍ୟକର୍ତ୍ତା
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ, ଓଡିଶା ରାଜ୍ୟ କାର୍ୟ୍ଯକାରିଣୀ ପକ୍ଷରୁ ଏକ ଜନକଲ୍ୟାଣ ସମାବେଶ ତାର ମୁଖ୍ୟାଳୟ ଜଟଣୀ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ପାଞ୍ଚଟି ଜିଲ୍ଲା ଯଥାକ୍ରମେ ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ ଏବଂ ନୟାଗଡ଼ର ଜିଲ୍ଲାର ଜିଲ୍ଲା ସ୍ତରୀୟ ସଭାପତି, ସମ୍ପାଦକ, ମୁଖପାତ୍ର ଏବଂ ପରିଚାଳକ ମାନେ ଯୋଗଦାନ କରିଥିଲେ। ରାଜ୍ୟ କାର୍ୟ୍ଯକାରିଣୀର ଅଧ୍ୟକ୍ଷ ପରମ ଶୈବ ଲଳିତ କୁମାର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସନାତନ ହିନ୍ଦୁ ଧର୍ମର ସୁରକ୍ଷା ସହ ଶୈବ ସମ୍ପ୍ରଦାୟର ଉନ୍ନତି ଏବଂ ଶୈବବିପ୍ର ମାନଙ୍କୁ କିପରି ସଂସ୍କାରିତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ସଂଗଠନ ପକ୍ଷରୁ ଆଗାମୀ ୨୦୨୨ ବର୍ଷରେ ବିଭିନ୍ନ ଜନ ହିତକର କାର୍ଯ୍ୟ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରକାଶ ଥାଉକି ଗତ ଡିସେମ୍ବର ୧୩ ତାରିଖରେ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ ୧୦୮ ଶୈବବିପ୍ରଙ୍କୁ ବ୍ରତୋପନୟନ ସଂସ୍କାର କରାଇ ସମଗ୍ର ରାଜ୍ୟରେ ଚର୍ଚ୍ଚିତ ହୋଇଥିଲା।ବଏପରିକି ଭାରତ ବର୍ଷର ପାବନ ଭୂମି ଜ୍ୟୋତି ମଠ, ଶାରଦା ପୀଠର ପରମପୂଜନୀୟ ଶଙ୍କରାଚାର୍ଯ୍ୟ ଙ୍କ ପ୍ରତିନିଧି ତଥା ଭାରତ ସାଧୁ ସମାଜ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଏବଂ ଅଖିଳ ଭାରତୀୟ ସର୍ବ ଗୋ ରକ୍ଷା ସମିତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଶ୍ରୀ ୧୦୦୮ ବ୍ରହ୍ମଚାରୀ ରାମାନନ୍ଦଜୀ ମହାରାଜଙ୍କ ସହିତ ବୃନ୍ଦାବନର ଆଚାର୍ଯ୍ୟ ମହାମଣ୍ଡଲେଶ୍ୱର ଶ୍ରୀ ପ୍ରଜ୍ଞାନନ୍ଦଜୀ ମହାରାଜଙ୍କ ଦ୍ଵାରା ଶୈବବିପ୍ର ବାଲବ୍ରହ୍ମଚାରୀ ମାନଙ୍କୁ ଉପନୟନ କରାଇ ସମଗ୍ର ରାଜ୍ୟରେ ପୁଳା ପୁଳା ପ୍ରଶଂସା ସାଉଁଟି ଥିଲେ। ତେବେ ଆଜିର ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ସମ୍ପାଦକ ପରମ ଶୈବ ଆଚାର୍ଯ୍ୟ ବିକେ ମହାପାତ୍ର ପରିଚାଳନା କରିଥିବାବେଳେ ନୟାଗଡ଼ ଜିଲ୍ଲା ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଙ୍ଘର ସମ୍ପାଦକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।