ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ସାହିତ୍ୟକୁ ଅଧିକ ସମୃଦ୍ଧ କରିବା ତଥା ବିଭିନ୍ନ ଭାଷାର ଅନୁବାଦକମାନଙ୍କ ମଧ୍ୟରେ ସଂପର୍କ ଦୃତିଭୂତ ନିମନ୍ତେ ଗଠିତ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନ୍ ଲାଇନ୍ ମାଧ୍ୟମରେ ଅନୂଦିତ କବିତା ପାଠ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି ଜାତୀୟସ୍ତରର ସାରସ୍ଵତ କାର୍ଯ୍ୟକ୍ରମରେ ଖ୍ୟାତନାମା ଅନୁବାଦକ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗୀୟ ମୁଖ୍ୟ ଡ.ସଞ୍ଜୟ କୁମାର ସିଂ ଅଧ୍ୟକ୍ଷତା କରିଥିବାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଂସ୍କୃତ, ହିନ୍ଦୀ, ଇଂରାଜୀ, ଓଡ଼ିଆ ଭାଷାର ବିଦ୍ୱାନ ଡ.ହରେକୃଷ୍ଣ ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନୁବାଦ ସାହିତ୍ୟ ହିଁ ସମଗ୍ର ବିଶ୍ୱର ସାହିତ୍ୟିକ, ପାଠକମାନଙ୍କୁ ଯୋଡିବାର ଏକ ସଶକ୍ତ ମାଧ୍ୟମ, ଅନୁବାଦ ଦ୍ୱାରା ବିଭିନ୍ନ ଦେଶ ବା ରାଜ୍ୟର ସାମାଜିକ, ରାଜନୈତିକ, ଅର୍ଥନୈତିକ ସର୍ବୋପରି ବିଭିନ୍ନ କୃତି ତଥା କୀର୍ତ୍ତି ବିଷୟରେ ଆମେ ଜାଣିପାରୁ। ଏହି ଦୃଷ୍ଟିରୁ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଉଭୟ ସଭାଧ୍ୟକ୍ଷ ଓ ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ। ଯଥାକ୍ରମେ ଓଡ଼ିଶା ଏବଂ ବନାରସର ଯୁବ ଅନୁବାଦିକା ଜୟଶ୍ରୀ ଦୋରା ତଥା ତୂଲୀକା ବିବିଧ ରଂଗଙ୍କ ସଂଯୋଜନାରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ପଚିଶ୍ ଜଣ ଅନୁବାଦକ ଏବଂ ଅନୁବାଦିକା ଅନୂଦିତ କବିତାପାଠ କରିଥିଲେ। ବିଶେଷ ଭାବେ ଜାତୀୟସ୍ତରରେ ପରିଚିତ ପ୍ରଭାସିନୀ ମହାକୁଡ଼, ରାଧୁ ମିଶ୍ର, ମଞ୍ଜୁଳା ଆସ୍ଥାନା ମହାନ୍ତି, ଡ.ଭାରତ ଭୂଷଣ ରଥ, ଇପ୍ସିତା ଷଡ଼ଙ୍ଗୀ, ସଂଗୀତା ରଥ, ଶ୍ୟାମଳୀ ସେନଗୁପ୍ତ, ଡ଼.ଭଗବାନ ତ୍ରିପାଠୀଙ୍କ ସହ ହରେକୃଷ୍ଣ ଦାଶ, ବସିରନ୍ ବିବି, ହାଡିବନ୍ଧୁ ମହାକୁଡ଼, ଆଶୁତୋଷ ପାତ୍ର ପ୍ରମୁଖ ଓଡ଼ିଆ, ହିନ୍ଦୀ, ସଂସ୍କୃତ, ବଙ୍ଗଳା, ତେଲୁଗୁ,ପଞ୍ଜାବୀ ଆଦି ଭାଷା ଆଧାରିତ ଅନୂଦିତ କବିତାପାଠ କରିଥିଲେ।
ଭାରତୀୟ ଅନୁବାଦ ସାହିତ୍ୟ ଆନୁକୂଲ୍ୟରେ ‘ଅନୂଦିତ କବିତା ପାଠ’ ଆୟୋଜିତ
