ରଣପୁର,(ନୟାଗଡ଼ ଦର୍ପଣ): ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରୁ ଖବର ପାଇ ଉଭୟ ବୃକକ ଖରାପ ଥିବା ଚବିଶି ବର୍ଷୀୟ ଯୁବକକୁ କୋଡ଼ିଏ ହଜାର ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ଅନନ୍ୟା ଫାଉଣ୍ଡେସନ ଓ ରାଜସୁନାଖଳା ମହୋତ୍ସବ କମିଟି। ରଣପୁର ବ୍ଲକ ଅନ୍ତର୍ଗତ କାସନ୍ଦା ଗ୍ରାମର ଯୁବକ ସୂର୍ଯ୍ୟକାନ୍ତ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। କିନ୍ତୁ କିଛି ଦିନ ପରେ ଜଣା ପଡ଼ିଲା ତାଙ୍କର ଉଭୟ ବୃକକ ରୋଗାକ୍ରାନ୍ତ। ସେ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ତାଙ୍କ ପକ୍ଷେ ବୃକକ ପ୍ରତିରୋପଣ ସମ୍ଭବ ହୋଇନଥିଲା। ସେ ଅସହାୟ ହୋଇ ସାମାଜିକ ଗଣମାଧ୍ୟମରେ ସହାୟତା ଭିକ୍ଷା କରିଥିଲେ। ପରେ ଏହି ଖବର ବିଭନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶିତ ହେବା ପରେ ଜୈନିକ ସାମ୍ବାଦିକଙ୍କ ବ୍ୟକ୍ତିଗତ ଅନୁରୋଧକ୍ରମେ ରାଜସୁନାଖଳା ମହୋତ୍ସବ କମିଟି ସହ ମିଶି ସୁନାଖଳା ବଜାର ଓ କାସନ୍ଦା ଗ୍ରାମରେ ଅନନ୍ୟା ଫାଉଣ୍ଡେସନ୍ ଆରମ୍ଭ କରିଥିଲା ନିଧି ସଂଗ୍ରହ ଅଭିଯାନ। ଏହି ନିଧି ସଂଗ୍ରହ ଅଭିଯାନରେ କାସନ୍ଦା ଓ ସୁନାଖଳାର ଆଗ୍ରହୀ ଯୁବକ ଅଂଶଗ୍ରହଣ କରିଥିଲେ। ନିଧି ସଂଗ୍ରହ ଅଭିଯାନରୁ ସଂଗୃହିତ ହୋଇଥିବା ଅର୍ଥରାଶି ଓ ଆଉ କିଛି ଅର୍ଥ ମିଶାଇ ଅନନ୍ୟା ଫାଉଣ୍ଡେସନ ଓ ରାଜସୁନାଖଳା ମହୋତ୍ସବ କମିଟିର କିଛି ସଦସ୍ୟ ଗତକାଲି ୨୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଗତ କାଲି ଅର୍ଥ ପ୍ରଦାନ ବେଳେ ରାଜସୁନାଖଳା ମହୋତ୍ସବ କମିଟିର ଚିତ୍ତରଞ୍ଜନ ପ୍ରଧାନ, ମନୋଜ ମହାପାତ୍ର, ପଦୀପ ରାଣା ଓ ଅନନ୍ୟା ଫାଉଣ୍ଡେସନର ଆଶୁତୋଷ ଦାସ, ସନ୍ତୋଷ କୁମାର ପ୍ରଧାନ, କାହ୍ନା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଅନନ୍ୟା ଫାଉଣ୍ଡେସନ୍ ଓ ରାଜସୁନାଖଳା ମହୋତ୍ସବ କମିଟି ପକ୍ଷରୁ ସୂର୍ଯ୍ୟଙ୍କୁ ଆର୍ଥିକ ସହାୟତା
