ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ରଙ୍ଗଣୀପାଟଣା ହରିଜନ ସାହିରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବୋମା ମାରିବାକୁ ଆଣିଥିବା ବ୍ୟକ୍ତି ଅସାବଧାନତା ଯୋଗୁଁ ତଳେପଡି ନିଜ ହାତରେ ବୋମାଟି ଫୁଟି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଓଡ଼ଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରୁ ତାକୁ ପୁଲିସ ଉଠାଇ ନେଇଛି। ଅନ୍ୟ ଜଣେ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।
ପନ୍ତିଖାରୀ ଶାସନର ଶ୍ବେତପଦ୍ମା ସାହୁ ଓରଫ ଫକୁ(୨୭) ଏବଂ ତାର ଅନ୍ୟ ଜଣେ ସହଯୋଗୀ ମାନସ ସାହୁ ଗତକାଲି ରାତି ୧୧ଟା ସମୟରେ ଦୁହେଁ ରଙ୍ଗଣିପାଟଣାରେ କିଛି କୌଣସି କାଣ୍ତ ଘଟାଇବାକୁ ଆସୁଥିବା ସମୟରେ ଅସାବଧାନତା ହୋଇ ଶ୍ବେତପଦ୍ମା ତଳେପଡି ଯାଇଥିଲେ। ସେ ହାତରେ ଧରିଥିବା ଦୁଇଟି ବୋମାରୁ ଗୋଟିଏ ବୋମା ତଳେ ମାଡ଼ହୋଇ ଫୁଟି ଯାଇଥିଲା। ବୋମା ମାଡ଼ରେ ତାଙ୍କର ଡ଼ାହାଣ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଏପଟେ ଗାଁରେ ବୋମା ଆତଙ୍କରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଲୋକମାନେ ଭୟଭୀତ ଅବସ୍ଥାରେ ନିଦରୁ ଉଠି ଆତଙ୍କିତ ହୋଇ ପଡିଥିଲେ। ଶ୍ବେତପଦ୍ମାର ସହଯୋଗୀ ମାନସଙ୍କ ସହ ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ଖବରପାଇ ଓଡ଼ଗାଁ ପୁଲିସ ଘଟଣା ସ୍ଥଳରେ ପହଂଚି ଶ୍ବେତପଦ୍ମାକୁ ଉଠାଇ ନେଇଛି। ପ୍ରଥମେ ତାକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରୁଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାକୁ ଭୁବନେଶ୍ବରକୁ ପଠାଇ ଦିଆଯାଇଛି। ଶ୍ବେତପଦ୍ମାଙ୍କ ନାମରେ ପୂର୍ବରୁ ଦୁଇଟି ମାମଲା ଥିବା ପୁଲିସ ଜାଣିବାକୁ ପାଇଛି। ଶ୍ବେତପଦ୍ମାର ସହଯୋଗୀ ମାନସ ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରରୁ ଖସି ପଳାଇଥିବା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ସୂଚନା ଦେଇଛନ୍ତି।