ରଚିତା ପରିଡାଙ୍କ ଲିଖିତ ଗଳ୍ପ ବନ୍ଦ କବାଟ :
ଭସା ମେଘର ସବାରିରେ ବର୍ଷାରାଣୀ ତା’ କଳା ଓଢ଼ଣୀ ଫାଙ୍କରୁ ଚାହିଁ ମୁରୁକି ହସମାରୁଛି, ବିଜୁଳିର ରୋଷଣି ଆଉ ଘଡଘଡିର ଆତସବାଜିକୁ ଡରି ସୂର୍ଯ୍ୟ ବାଦଲ ଭିତରେ ଲୁଚିଯାଇଛି । ଦୂର ଦିଗ୍ବଳୟଟା ପୂରା ଅନ୍ଧାର ଦିଶୁଛି । ସନ୍ଧ୍ୟା ହେବା ପୂର୍ବରୁ କିଏ ଯେମିତି ଆକଶଟାକୁ କଳା ରଙ୍ଗରେ ରଙ୍ଗେଇ ଦେଇଛି ।
ଝରକା ଫାଙ୍କରୁ ଏସବୁ ଦୃଶ୍ୟ ଦେଖିବାକୁ ତାକୁ ଭାରି ଭଲଲାଗୁଛି । ରିମ୍ଝିମ୍ ବର୍ଷା ତାଳରେ ନାଚିବାକୁ ତାକୁ ବି ଇଚ୍ଛା ହେଉଛି । ଥଣ୍ଡା ପବନଟାଏ ଝରକା ଦେଇ ଯେବେ ତା’ଦେହରେ ବାଜିଯାଉଛି ତାକୁ ଲାଗୁଛି ସେ ଯେମିତି ତାକୁ ହାତଠାରି ଡାକୁଛି । କିନ୍ତୁ ଏ ବନ୍ଦ କବାଟ ଖୋଲିଲେ ସିନା । ବାହାରକୁ ଯିବା ତା ପାଇଁ ସମ୍ପୂର୍ଣ୍ଣ ମନା । ଏ କବାଟ ବି ସବୁବେଳେ ବନ୍ଦ ହିଁ ତ ଥାଏ। ଖାଲି ଯାହା ଖାଇବା, ପିଇବା ସମୟରେ ଖୋଲେ ଆଉ ପୁଣି ବନ୍ଦ ହୋଇଯାଏ । ଖାଇବା ଜିନିଷ ବି ଭିତରକୁ ଆସେ । ତା’ର ଭାରି ଇଚ୍ଛା ହୁଏ ବାହାର ଖାଇବା ଖାଇବାକୁ । କିନ୍ତୁ ସେଥିରେ ବି ଶକ୍ତ କଟକଣା । କେତେ ଏ ଘର ଖାଇବା ଖାଇବ ଯେ !!! କିନ୍ତୁ ବାହାରକୁ ଯାଇପାରୁନି ଯେତେବେଳେ ଏଇ ଖାଇବାରେ ହିଁ ସନ୍ତୁଷ୍ଟ ହେବାକୁ ପଡିବ ।
ସେ ଜାଣିପାରୁନି ତାରି ଭୁଲ କ’ଣ । ସେ ତ ଯାହାଦେଲେ ଖାଉଛି ବାହାର ଖାଇବା ପାଇଁ ଇଚ୍ଛା ଥିଲେ ବି ଜିଦିକରୁନି । ବାହାରେ ବୁଲିବା ପାଇଁ ବି ଜିଦି କରୁନି । ଏଇ ଝରକା ଫାଙ୍କରୁ ବର୍ଷକ ବାରମାସ ଛଅ ଋତୁର ପରିବର୍ତ୍ତନ ଦେଖି ଖୁସି ହୋଇଯାଉଛି । ତଥାପି କେହି ଥରେ ତା ଭଲମନ୍ଦ ପଚାରି ବୁଝୁନାହାନ୍ତି । ସେମାନେ କ’ଣ ତା’ ମନକଥା ବୁଝିପାରୁନାହାନ୍ତି? କିନ୍ତୁ ସେ ତ ତାଙ୍କ ମନଜାଣି ଗୀତ ବି ବୋଲୁଛି । ସେତେବେଳେ ସମସ୍ତେ କେତେ ତାଳି ମାରନ୍ତି । ବାଃ ବାଃ କରନ୍ତି । ସେ ଭାବେ ଏବେ ସେମାନେ ତାକୁ ବାହାରକୁ ନେବେ, ବୁଲେଇବେ । କିନ୍ତୁ ଏମିତି କିଛି ହୁଏନା । ସେମାନେ ପୁଣି ନିଜ କାମରେ ବ୍ୟସ୍ତ ହୋଇଯା’ନ୍ତି । ସେ ମନମାରି ଚୁପ୍ଚାପ ବସିଯାଏ ।
ତାକୁ ଚିଡାଇବାପାଇଁ ଝରକା ସେପାଖ ବଗିଚାର ଫୁଲଗୁଡାକ ତତ୍ପର ଥା’ନ୍ତି ବୋଧହୁଏ । ପବନରେ ନାଚିନାଚି ଖତେଇ ହୁଅନ୍ତି । ତାକୁ ବାହାରକୁ ଆସି ସେମାନଙ୍କୁ ତୋଳିବାକୁ ଆହ୍ୱାନ ଦିଅନ୍ତି । ତାକୁ ବି ଭାରି ରାଗମାଡ଼େ । ଇଚ୍ଛା ହୁଏ ସବୁଫୁଲକୁ ଦଳିମକଚି ନଷ୍ଟ କରିଦେବାକୁ । କିନ୍ତୁ ଫଟା କପାଳ ତାର, ଔଷଧ ରାଗରେ ତାଟିଆ କାମୁଡି ପଡ଼ିରହିଥାଏ ।
ପ୍ରଥମେ ସେ ଭାବୁଥିଲା ତା’ଚେହେରାଟା ଭୟାନକ ବୋଧହୁଏ । କାଳେ କିଏ ଡରିବ ସେଥିପାଇଁ କେହି ତାକୁ ବାହାରକୁ ନେଉନାହାନ୍ତି । କିନ୍ତୁ ଘରେ ତ ସମସ୍ତେ ତା’କୁ ଆଦର କରନ୍ତି । ତା’ସହ ଖେଳନ୍ତି । ସେଥିପାଇଁ ଦିନେ ଦର୍ପଣରେ ନିଜ ଚେହେରା ଦେଖିଥିଲା ସେ । ପ୍ରଥମଥର ନିଜକୁ ଦେଖି ସେ ନିଜେ ଚମକିପଡିଲା । କେତେ ସୁନ୍ଦର ତା ଚେହେରା, ଆଖି ଦୁଇଟି ମାଛ ମଞ୍ଜି ପରି ଗୋଲଗୋଲ । ଓଠ ପୂରା ନାଲି ଟହଟହ । କିଏ ଅଳତା ଆଣି ତା ଓଠରେ ବୋଳି ଦେଇନି ତ! ଆରେ! ବେକରେ ପୁଣି କଳାରଙ୍ଗର ସୂତା, ନଜର ନ ଲାଗିବା ପାଇଁ କିଏ ପିନ୍ଧେଇ ଦେଇଛି ବୋଧେ, ତଥାପି ତାକୁ ବାହାରକୁ ଯିବା ମନା କାହିଁକି?
ଘରର ସବୁ ପିଲା ଜିଦି କରନ୍ତି । କଥା ନଶୁଣିଲେ ଖିଆପିଆ କରନ୍ତିନି କନ୍ଦାକଟା କରନ୍ତି । ତା’ପରେ ସେମାନଙ୍କୁ ମନ ପସନ୍ଦର ଖେଳନା ଦିଆଯାଏ । ବାହାରକୁ ବୁଲେଇ ନିଆଯାଏ । କିନ୍ତୁ ସେ ତ ସୁନାପିଲା । ସେ କେବେ ଜିଦି କରେନି ବୋଲି ବୋଧେ କେହି ତାକୁ ଗୁରୁତ୍ୱ ଦିଅନ୍ତିନି । ଏମିତିରେ ବି ସମସ୍ତଙ୍କ ଭିତରୁ ସେ ଟିକେ ଭିନ୍ନ । ତା’ଦେହର ରଙ୍ଗଟା ସମସ୍ତଙ୍କ ପରି ନୁହେଁ । ଅଅଁଳା ରଙ୍ଗର ଶରୀର ତାର । କିନ୍ତୁ ସେଥିପାଇଁ ତାକୁ ଏମିତି ଅବହେଳା କରିବାଟା ତାର ସହ୍ୟ ହେଉନଥାଏ ।
ଏ ଘରର ଲୋକମାନେ ବି ଭାରି ଅଜବ । ତା’ ରହିବା ଜାଗାଟାକୁ ବି ଅଲଗା କରି ଗଢିଛନ୍ତି । ଲୁହାର ଶକ୍ତ କବଜାରେ ତା ରୁମ ତିଆରି ହୋଇଛି । ବୋଧେ ତା’ ସୁରକ୍ଷା ପାଇଁ । କିନ୍ତୁ ତଥାପି ତାର ଏ ସୁରକ୍ଷାବଳୟ ଭିତରେ ରହିବାକୁ ଇଚ୍ଛା ହୁଏନି, ସମସ୍ତେ ତାକୁ ଯାହା କହିବାକୁ ଶିଖାନ୍ତି ସେ ବହୁତ ଜଲଦି ସେସବୁ ଗାଇ ସମସ୍ତଙ୍କୁ ଆଚମ୍ବିତ କରିଦିଏ । କିନ୍ତୁ ନିଜ ମନର କଥା ପ୍ରକାଶ କରିବାକୁ ଶବ୍ଦ ପାଏନା । ଯେବେ ବି ସେ ନିଜ ଦୁଃଖ ପ୍ରକାଶ କରିବାକୁ ଚାହେଁ ତା ପାଟିରେ ତାଲା ପଡିଯାଏ । ଶବ୍ଦ ଭଣ୍ଡାରରୁ ଶବ୍ଦ ସରିଯାଏ । ଖାଲି ଜୁଳୁଜୁଳୁ ଆଖିରେ ଆକାଶକୁ ଅନେଇ ସେ ଚୁପ୍ରହେ ।
ଏ ଘରେ ସେ କାହାକୁ ଡରେନି ଖାଲି ଜଣକୁ ଛାଡି, ସେ ଧଳାରଙ୍ଗର ବିଲେଇଟାକୁ ଦେଖିଲେ ତ । ଛାତିରେ ଛନକା ପଶେ । ତାକୁ ଲାଗେ ଯେମିତି ସେ ତାକୁ ରାମ୍ପୁଡି ଦେବ । ତା’ ଦେହରେ ଦାଗ ବସେଇଦେବ । କିନ୍ତୁ ବିଚରା ସେ ବିଲେଇଟାବି ଝରକା ପାଖରୁ ତାକୁ ଖାଲି ଦେଖେ ସିନା କିଛି କରିପାରେନି ।
ସେଦିନ ସୁଯୋଗ ମିଳିଲା, ଘର କବାଟଟା ଖୋଲା ଅଛି । ବନ୍ଦ କରିବାକୁ ବୋଧେ ସବୁ ଭୁଲିଯାଇଛନ୍ତି । ସେ ପାଦରେ ପାଣି ଗିନାଟାକୁ ଠେଲିଦେଲା । ବାହାରେ ସେ ବିଲେଇଟା ବି ଦିଶୁନି । ଚୁପ୍ଚାପ ବାହାରକୁ ଯାଇ ବାରଣ୍ଡାରେ ଠିଆ ବସିପଡିଲା । ହଠାତ୍ ସେପଟ କଣରୁ ବିଲେଇଟାକୁ ଦେଖି ହାତଦିଟା ମେଲେଇ ଡିଆଁ ମାରିଲା । ତା ହାତ ଦିଟା ଧିରେ ଧିରେ ହାଲକା ଲାଗିଲା । ବାଦଲକୁ ଆଡେଇ ଆଡେଇ ସେ ଉଡିବୁଲିଲା । ଘର ଭିତରୁ କିଏ ଗୋଟେ ପାଟି କଲା, ଆରେ…… ଶୁଆଟା ଉଡ଼ିଗଲାରେ…… ଶୁଆ ତା’ ନାଁ….. ତାର ପରିଚୟ । କିଏ କେତେ ଡାକିଲେ, ପଳେଇ ଆସେ । ଏଇଠି ମିଠା ପିଜୁଳି ଅଛି ଖା….. ଧନରେ ପାଣି ପିଇଦେ । ସେ କିନ୍ତୁ ଏଥର ବୋଲ ମାନିବନି । କ’ଣ ହେବ ସେ ଭାତଡାଲି, ପିଜୁଳିରୁ ସେ ନିଜେ ଡାଳରୁ ଡାଳ ଡେଇଁ ପିଜୁଳି ଖାଇବ । ନଇର ମିଠାପାଣି ପିଇବ । ଏବେ ସେ ବି ପବନ ସହ ଦୋଳି ଖେଳିବ । ଏବେ ଯାଏଁ ସମସ୍ତେ ତାକୁ ଶିଖାଉଥିଲେ ଗାଇବାକୁ- ଚକ୍ରଧର, ପକ୍ଷୀ ଜନମରୁ ପାରିକର କିନ୍ତୁ ଏମିତି ସ୍ୱାଧୀନତା ପାଇବା ପାଇଁ କେହି କେବେ ଶିଖେଇ ନାହାନ୍ତି । ୟାକୁ ସେ ନିଜେ ଖୋଜିପାଇଛି । ତା ପାଇଁ ବିଶେଷ ନିର୍ମିତ ସେ ଲୁହା ଘରଟାର ନାଁ କୁଆଡେ ପଞ୍ଜୁରି । ତା’ଭିତରେ ଥାଇ ସେ କେତେ ଝୁରି ହେଇଛି । କେହି ଶୁଣିନାହାଁନ୍ତି ତା’ମନ କଥା । ଏବେ ସେ ଆଉ ମାନିବନି କାହାକଥା । ଉଡ଼ିଯିବ ଦୂର ଦିଗ୍ବଳୟକୁ, ଡେଣା ମେଲେଇ ତା ମୁକ୍ତିର ଆନନ୍ଦକୁ ଉପଭୋଗ କରିବ ।
ଏ ମଣିଷ ଜାତିଟା ଭାରି ସ୍ୱାର୍ଥପର, ନିଜ ମନୋରଞ୍ଜନ ପାଇଁ ତା’ ଜୀବନର କେତେଟା ମୂଲ୍ୟବାନ ବର୍ଷକୁ ଏଇ ପଞ୍ଜୁରିର ଚାରିକାନ୍ଥ ଭିତରେ ସମାଧି ଦେଇଦେଲେ । ଏବେ ଆଉ ସେ ଫେରିବନି । ବନ୍ଦ କବାଟଟା ଆଜି ଠିଆ ମେଲା ପଡିଛି । ପବନରେ ବାଡେଇ ହେଇ ସେ ବି କହୁଛି- ‘ଯା’ ଉଡ଼ି ଯା’ ଦୂରକୁ ଉଡ଼ି ଯା’, ବହୁତ ଦୂର । ଯେଉଁଠି ଏମିତି ସ୍ୱାର୍ଥପରତାର ଛାଇ ବି ତୋତେ ସ୍ପର୍ଶ କରିବନି । ପ୍ରକୃତି କୋଳରେ ଏ ଜୀବନକୁ ଉପଭୋଗ କରେ । ଏ ମିଛ ସ୍ନେହରେ ଭଳି ଯାଇ ଫେରିଆସନା । ଯା’ ଉଡ଼ିଯା ଯା’ ତୁ ।