ଓଡ଼ଗାଁ,(ନୟାଗଡ ଦର୍ପଣ): ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଉଦ୍ୟମ କରୁଥିବାବେଳେ ମହିଳାମାନେ ଅର୍ଥ ଠକେଇ କରିବା ଘଟଣା ବର୍ତ୍ତମାନ ଓଡ଼ଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଅର୍ଥ ରାଶିକୁ ଠକେଇ କରିଥିବା ନେଇ ଓଡ଼ଗାଁ ବିଡିଓ ୪ ଜଣ ମହିଳା ଓ ଜଣେ ପୁରୁଷଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଠକେଇ ଅଭିଯୋଗ ପାଇବା ପରେ ଘଟଣାକୁ ଗୁରୁତ୍ଵ ଭାବେ ନେଇଛି। ମୋଟ ୧୬ ଲକ୍ଷ ୪୯ ହଜାର ୨୫୦ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବିଡିଓଙ୍କ ଅଭିଯୋଗ କ୍ରମେ, ଧବଳେଇ ଗ୍ରାମର ସ୍ଵପ୍ନାରାଣୀ ପଟ୍ଟନାୟକ ୪ଲକ୍ଷ ୪୫ହଜାର ୩.୬୦ଟଙ୍କା, ସଂଯୁକ୍ତା ପଟ୍ଟନାୟକ ୫ଲକ୍ଷ ୬୯ହଜାର ୮୩୫ଟଙ୍କା, ବାଣ୍ଠପୁର ଚେମେଡ଼ି ଗ୍ରାମର ରୀତାଞ୍ଜଳି ପ୍ରଧାନ ୩ଲକ୍ଷ ୯୨ହଜାର ୮୫୫ଟଙ୍କା, ବାଣ୍ଠପୁର ଗ୍ରାମର ଲିଲି ପ୍ରଧାନ ୬୫ହଜାର ଟଙ୍କା, ଓସ୍ତିଆମାଳର ବିଜୟ କୁମାର ପ୍ରଧାନ ୧ଲକ୍ଷ ୭୬ହଜାର ୨୦୦ଟଙ୍କା ଠକେଇ କରିଥିବା ଜଣାଯାଇଛି । ଗତ ୧୮ ତାରିଖରୁ ବିଡିଓ ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବାବେଳେ ଆଜି ସୁଦ୍ଧା ମାମଲା ରୁଜୁ ହୋଇନାହିଁ । ଓଡ଼ଗାଁ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ସୂଚନାନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡକାଯାଇଥିଲା । ସେମାନେ କିଛି ଅର୍ଥ ଡିପୋଜିଟ୍ କରିଥିବାର ରସିଦ୍ ଦେଖାଇଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଅର୍ଥ ଡିପୋଜିଟ୍ କରି ରସିଦ ଦେଖାଇ ନ ପାରିଲେ ମାମଲା ରୁଜୁ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପରିଚାଳନା କରୁଥିବା ଅନେକ ସ୍ଥାନରେ ଏଭଳି ଅନିୟମିତତା କରାଯାଉଛି। କିଛି ବ୍ୟକ୍ତି ସ୍ବୟଂ ସହାୟକ ଗୋଷ୍ଠୀକୁ ଆଳ କରି ନିଜର ବ୍ୟବସାୟ କରୁଥିବା ଏବଂ ମହିଳାଙ୍କ ନାମରେ ଜାଲ୍ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିଥିବା ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାରିହେଉଛି । ଏହା ଉପରେ ମିଶନ ଶକ୍ତି ବିଭାଗ ଦୃଷ୍ଟି ଦେବା ନିହାତି ଆବଶ୍ୟକ ହୋଇପଡିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ସ୍ଵୟଂ ସହାୟକ ଗୋଷ୍ଠୀ ନାଁରେ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଠକେଇ
