ଗୋଟିଏ ଗୋଟିଏ ସ୍ଥାନରେ ଗାଦି ମାଡି ବସିଛନ୍ତି ସରକାରୀ ବାବୁ, କଂଗ୍ରେସର ଅଭିଯୋଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ବିଭିନ୍ନ ବିଭାଗରେ ସରକାରୀ କର୍ମଚାରୀ ମାନେ ଗୋଟିଏଗୋଟିଏ ସ୍ଥାନ-ପଦବୀରେ ତିନି ବର୍ଷରୁ ଉର୍ଦ୍ଧ୍ୱ ଧରି ଚୌକି ମାଡିବସି ବହୁ ଦୁର୍ନୀତି ଅନିୟମିତତା କାର୍ଯ୍ୟରେ ଲିପ୍ତରହି ବାର୍ଷିକ ସମ୍ପତ୍ତି ତାଲିକା ଦେଉ ନାହାଁନ୍ତି। ସରକାରୀ ଚାକିରୀ ସର୍ତ୍ତାବଳୀ ଅନୁସାରେ ପ୍ରତ୍ୟେକ ତିନିବର୍ଷରେ ସରକାରୀ କର୍ମଚାରୀଙ୍କ ବଦଳି ନିୟମ କାର୍ଯ୍ୟକାରୀ ହେବା ବାଧ୍ୟତାମୂଳକ। ମୋ ସରକାର 5T ବିଭାଗ ବିଜ୍ଞପ୍ତି ଅନୁସାରେ କୌଣସି ବ୍ଲକରେ ସହକାରୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ, ଜିପିଟିଏ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ମାନେ ସର୍ବାଧିକ ପାଞ୍ଚବର୍ଷ ରହିପାରିବେ କିନ୍ତୁ ନୟାଗଡ ଜିଲ୍ଲାରେ ଏହି ନିର୍ଦ୍ଦେଶନାମା ସମ୍ପୂର୍ଣ୍ଣ ଓଲଟା କାର୍ଯ୍ୟ କରୁଛି ଏ ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ବ ଅଯୁକ୍ତ ନୟାଗଡ ଜିଲ୍ଲାପାଳଙ୍କୁ ବାରମ୍ବାର ଚିଠି ମଧ୍ୟ ଲେଖୁଛନ୍ତି। କିନ୍ତୁ ରାଜନୈତିକ ଚାପରେ ଜିଲ୍ଲା କାର୍ଯ୍ୟାଳୟ, ରାଜସ୍ବ, ଶିକ୍ଷା, ପଞ୍ଚାୟତିରାଜ, କୃଷି, ସ୍ୱାସ୍ଥ୍ୟ, ସହରାଞ୍ଚଳ ଉନ୍ନୟନ, ପରିବହନ ଏବଂ ବିଭିନ୍ନ ଇଞ୍ଜିନିଅରିଙ୍ଗ ବିଭାଗରେ ସରକାରୀ ବାବୁମାନେ ବିଧାୟକ ମାନଙ୍କ ଆଶୀର୍ବାଦରେ ଦୀର୍ଘବର୍ଷ ଧରି ଚୌକି ମାଡ଼ି ବସିଛନ୍ତି ଯାହାଫଳରେ ଏହି କର୍ମଚାରୀମାନେ ଆଗାମୀ ପଞ୍ଚାୟତ, ପୌର ନିର୍ବାଚନରେ ଭୋଟର ମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଥିବାରୁ ସରକାରୀ ଚାକରି ବଦଳି ସର୍ତ୍ତାବଳୀ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବି ରଣଜିତ ଦାଶଙ୍କ ଦ୍ୱାରା ମୁଖ୍ୟ ଶାସନ ସଚିବ ଏବଂ ନୟାଗଡ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ଆବେଦନ କରାଯାଇ ଥିବା ରିଟ ପିଟିସନ WP(C)No–29432/2021ଉପରେ ବିଚାର କରି ଆବେଦନକାରୀଙ୍କ ସହିତ ପ୍ରତ୍ୟକ୍ଷ ଶୁଣାଣି କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡିଶା ହାଇକୋର୍ଟ ମାନ୍ୟବର ମୁଖ୍ୟ ବିଚାରପତି ଡ଼. ଏସ ମୁରଲୀଧର ଏବଂ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆସନ୍ତା ୨୨ ନଭେମ୍ବର ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଆବେଦନକାରୀ ଶ୍ରୀ ଦାଶଙ୍କ ଠାରୁ ଅଭିଯୋଗ ଶୁଣିବାର ସରକାରୀ କାର୍ଯ୍ୟକ୍ରମ ରହିଥିବା ପ୍ରଶାସନ ପକ୍ଷରୁ ଆଇନଜୀବି ଶ୍ରୀ ଦାଶଙ୍କୁ ଅବଗତ କରାଯାଇଛି। ନୟାଗଡ ଓଡଗାଁ ସମେତ ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବ୍ଲକରେ ସହକାରୀ ଯନ୍ତ୍ରୀ, ଜିପିଟିଏ, କନିଷ୍ଠ ଯନ୍ତ୍ରୀ, ଜିଆରଏସ ମାନେ ପାଞ୍ଚବର୍ଷରୁ ଦଶବର୍ଷ କାଳ ଚୌକି ମାଡିବସି ଆବାସ ଯୋଜନା, କୋଟିକୋଟି ଟଙ୍କାର ମନରେଗା ଅର୍ଥରାଶି, ଗ୍ରାମସଭା ବିନା ଅନୁମତିରେ ୧୦ ଲକ୍ଷ ଟଙ୍କା ଯାଏଁ ଉନ୍ନୟନ ମୂଳକ କାର୍ଯ୍ୟର କାର୍ଯ୍ୟାଦେଶ କନିଷ୍ଠ ଯନ୍ତ୍ରୀମାନଙ୍କ ନାଁରେ ରଖଯାଇ ସିଧାସଳଖ ଦୁର୍ନୀତି କରାଯାଉ ଥିବା ବହୁ ଗ୍ରାମବାସୀ ଅଭିଯୋଗ କରୁଛନ୍ତି, ଯାହାର ତଦନ୍ତ ହୋଇପାରୁ ନଥିବା ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି।

Related posts