ଦଶପଲ୍ଲାରେ ଓଡିଶା କୃଷକ ସଭା ପକ୍ଷରୁ ଚାଷୀ ଆନ୍ଦୋଳନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ଫସଲର କ୍ଷତି ପୂରଣ ଦାବିରେ ଆଜି ଦଶପଲ୍ଲାରେ ଓଡିଶା କୃଷକ ସଭା ପକ୍ଷରୁ ଏକ ଚାଷୀ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଚାଷୀ ହାତରେ ପାଣିରେ ପଚି ନଷ୍ଟ ହୋଇଥିବା ଓ ଗଛରେ ରହି ପାଚିଲା ଧାନ ଗଜା ହୋଇଯାଇଥିବା ଏବଂ ନଷ୍ଟ ରବି ଫସଲ, ନଷ୍ଟ ହୋଇ ଯାଇଥିବା ପରିବା ସବୁ ଧରି ମେଳିଆ ତୋଟା ଠାରୁ ଏକ ଶୋଭଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷକ ସଭାର ବ୍ଲକ୍ ସଭାପତି ବ୍ରଜବନ୍ଧୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବରିଷ୍ଠ ନେତା ଶରତ ଚନ୍ଦ୍ର ବେହେରା, କୃଷକ ସଭାର ବ୍ଲକ୍ କମିଟି ସମ୍ପାଦକ ଗଣେଶ୍ୱର ନାୟକ ଓ ଯୁବନେତା ବିପିନ୍ ବାଜୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଦିନିଆ ବର୍ଷା ଯୋଗୁଁ ବିଲରେ ଧାନ ଗଛ ମିଳି ଯିବା ଏବଂ କେଣ୍ଡାରେ ଗଜା ହୋଇ ଯାଇଥିବାରୁ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଯୋଗୁଁ ତୁରନ୍ତ କ୍ଷୟ କ୍ଷତି ଆକଳନ କରି କ୍ଷତି ପୂରଣ ପ୍ରଦାନ ପାଇଁ ଏକ ଦାବୀପତ୍ର ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହାସହିତ ନରେନ୍ଦ୍ର ମୋଦୀ ସରକାର ଚାଷୀଙ୍କ ଆନ୍ଦୋଳନରେ ହାର ମାନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କହିଥିବାରୁ ଆଜିର ସଭାକୁ ଚାଷୀଙ୍କ ବିଜୟ ସଭା ଭାବରେ ଘୋଷଣା କରିଥିଲେ।

Related posts