ନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼/ଓଡ଼ଗାଁ,(ନୟାଗଡ଼ ଦର୍ପଣ): 5T ଉପକ୍ରମରେ ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରିତ ପର୍ବ । ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଜି ନୂଆପଡା, ଗଞ୍ଜାମ, ସମ୍ଵଲପୁର, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକାର୍ପିତ ହୋଇଥିବା ୧୩୦ଟି ସ୍କୁଲ ମଧ୍ୟରୁ ନୂଆପଡାର ୭ଟି, ଗଞ୍ଜାମର ୮୩ଟି, ସମ୍ବଲପୁରର ୨୫ଟି, ନୟାଗଡ଼ର ୮ଟି ଓ ରାୟଗଡ଼ାର ୭ଟି ସ୍କୁଲ ରହିଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜିର ଦିନଟି ସ୍ୱତନ୍ତ୍ର । 5T ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ୧୦୭୫ଟି ସ୍କୁଲର ରୂପାନ୍ତରଣ ହେବ। ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସ୍କୁଲ ରୂପାନ୍ତରଣ 5T କାର୍ଯ୍ୟକ୍ରମର ସବୁଠୁ ବଡ଼ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ । ଜାତିର ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ମତଦେଇ କହିଛନ୍ତି, ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ । ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡ଼ା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଜ୍ଞାନକୌଶଳ ବିଷୟରେ ଜାଣନ୍ତୁ । ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ଚାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ । ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁ ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି ।

ଆଜି ନୟାଗଡ଼ ଜିଲ୍ଲାର ୭ଟି ବ୍ଲକର ୮ଗୋଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲୋକାର୍ପଣ କରିଥିଲେ।ଆଜି ଓଡ଼ଗାଁ ବ୍ଲକର କୁରାଳ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବହୁ ସାଜସଜା ମଧ୍ୟରେ ଉକ୍ତ ଉତ୍ସବ ପାଳିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରଣପୁର ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀ ମାଳା ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ନୟାଗଡ଼ ଜିଲ୍ଲାର ୮ ଗୋଟି ବିଦ୍ୟାଳୟର ରୁପାନ୍ତରିତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଜ୍ଞାନ ଆହରଣ ଶକ୍ତି ଅଧିକ ହେବ ବୋଲି ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ଜିଲ୍ଲାର ବହୁ ବରିଷ୍ଠ ପଦାଧିକାର ଯୋଗ ଦେଇଥିଲେ । ପରିଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts