ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ତହସିଲ ଅନ୍ତର୍ଗତ ପୁଆଁଣିଆ ଟାଙ୍ଗରା ପାହାଡ଼ ଲିଜଧାରୀ ଅଦ୍ୟାବଧି ନିର୍ଦ୍ଧାରିତ ଲିଜଠାରୁ ପ୍ରାୟ ୧୦୦ଗୁଣା ପଥର ଦୁଇଲକ୍ଷ ଘନ ମିଟର ଉତ୍ତୋଳନ କରି ସାରିଥିବା ବେସରକାରୀ ଭାବେ ଆକଳନ କରାଯାଇଛି l ଲିଜଧାରୀ ସନ୍ତୋଷ କୁମାର ପାତ୍ରଙ୍କୁ ଟାଙ୍ଗରା ପାହାଡ଼ରୁ ବାର୍ଷିକ ୧୯୮୦ କ୍ୟୁବିକ (ଘନ) ମିଟର କଳାମୁଗୁନି ପଥର ଉତ୍ତୋଳନ ପାଇଁ ଓଡଗାଁ ତହସିଲଦାର ୨୦୧୮ ମସିହାରୁ ପାଞ୍ଚବର୍ଷିଆ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲିଜ ଦିଆଯାଇଥିଲା l କିନ୍ତୁ ଲିଜଧାରୀ ବର୍ଷକୁ ୧୯୮୦ କ୍ୟୁବିକ ମିଟର ପଥର ଉତ୍ତୋଳନ କରିବା ପରିବର୍ତ୍ତେ ପ୍ରତ୍ୟେକ ମାସରେ ପ୍ରାୟ ୫୦୦୦ କ୍ୟୁବିକ ମିଟର ପଥର ଉତ୍ତୋଳନ କରି ଚାଲିଛନ୍ତି l ନିର୍ଦ୍ଧାରିତ ଲିଜ ଠାରୁ ଅଦ୍ୟାବଧି ପ୍ରାୟ ୧୦୦ ଗୁଣା ଖଣି ଉତ୍ତୋଳନ କରାଯାଇ ପୁଆଁଣିଆ ମୌଜାରୁ ପ୍ରାକୃତିକ ସମ୍ପଦ ଦିନଦାହାଡ଼େ ଲୁଟ କରାଯାଉ ଥିବାବେଳେ ସରକାରଙ୍କ ରକ୍ଷକ ଓଡଗାଁ ତହସିଲଦାର ଏଥିପ୍ରତି ଧ୍ୟାନ ନଦେବା ଲିଜଧାରୀଙ୍କ ଠାରୁ ମାସିକିଆ ଲାଞ୍ଚ କାରବାର ହେଉଥିବା ସ୍ପଷ୍ଟ ହୋଇଯାଇଛି। ତେଣୁ କେନ୍ଦ୍ରୀୟ ଭୁତତ୍ତ୍ୱ ବିଭାଗ, ରାଜ୍ୟ ଖଣିବିଭାଗ ଏବଂ ଜିଲ୍ଲାର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦଳ ମିଳିତ ଆନୁକୂଲ୍ୟରେ ଟାଙ୍ଗରା ପାହାଡ଼ରୁ ଅଦ୍ୟାବଧି ଲିଜଧାରୀ କେତେ ପରିମାଣରେ ପଥର ଗତ ତିନିବର୍ଷରେ ଉତ୍ତୋଳନ କରିଛି ସାଟେଲାଇଟ ମ୍ୟାପ ଆଧାରରେ ଉଚିତ ମାପଚୁପ କରାଯିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳମହାଶୟାଙ୍କୁ ଅନୁରୋଧ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ସମ୍ପୃକ୍ତ ଲିଜଧାରୀଙ୍କ ପୁତ୍ର ଟାଙ୍ଗରା ପାହାଡ଼ ସଂଲଗ୍ନରେ ଫୋର୍ଟଏମ ଇଣ୍ଡିଆ ଇନଫ୍ରା ନାମରେ ଏକ ଅତ୍ୟାଧୁନିକ ସ୍ୱୟଂଚଳିତ ଷ୍ଟୋନ କ୍ରସର ବସାଇ ପାହାଡ଼ରୁ ଉତ୍ତୋଳିତ ପଥରକୁ ଚିପ୍ସ ଉତ୍ପାଦନ କରି ବ୍ୟବସାୟ କରୁଛନ୍ତି। ତେଣୁ ସ୍ୱତନ୍ତ୍ର ଏକ୍ସପର୍ଟ ଟିମ ଦ୍ୱାରା ଟାଙ୍ଗରା ଖଣି ମାପଚୁପ ହେବାଯାଏଁ ଜିଲ୍ଲାରେ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଏବଂ ରାଜ୍ୟ ସରକାରଙ୍କ ସ୍ୱାର୍ଥପାଇଁ ସମ୍ପୃକ୍ତ ଲିଜଧାରୀଙ୍କୁ ପଥର ଉତ୍ତୋଳନ ବନ୍ଦ କରାଯିବା ସହ ତାଙ୍କ ପୁତ୍ରଙ୍କ ମାଲିକାନାରେ ଚାଲିଥିବା କ୍ରସର ମେସିନ ଚାଲିବା ଉପରେ ରହିତାଦେଶ ଜାରି କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି। ସମ୍ପୃକ୍ତ କ୍ରସର ମାଲିକ ଟାଙ୍ଗରା ପାହାଡ଼ ସରହଦରେ ଏକ ବିରାଟ ଗେଟ ଏବଂ ସିକୁରିଟି ଗାର୍ଡ ବସାଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ କରାଉଥିବାରୁ ଜିଲ୍ଲାପାଳ ସେହି ଗେଟ ହଟାଇବା ପାଇଁ କ୍ରସର ମାଲିକଙ୍କୁ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ ଗଣମାଧ୍ୟମକୁ ଜଣାଇଛନ୍ତି।
