ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ପୁରସ୍କାର ବିତରଣୀ ଉତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ପରିଷ୍କାର ପରିଚ୍ଛନ୍ନ ସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଉତ୍ତମ ରୋଗୀ ସେବା ଏବଂ ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବାରୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଥିବା କାୟାକଳ୍ପ ପୁରସ୍କାର ୨୦୨୦-୨୧ ଅବସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୁରସ୍କାର ବିତରଣ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ର ,କାୟାକଳ୍ପ ମ୍ୟାନେଜର ସନତ୍ ମହାପାତ୍ର, କିଶୋର ଦାସ, ତ୍ରିଶୂଳ ରାଉଳ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବ୍ଲକ ଉନ୍ନୟନ ଅଧିକାରୀ ସ୍ୱାତିଲେଖା ଦାସ, ତହସିଲଦାର ବିଜେୟିତା ସାମନ୍ତସିଂହାର , ଏନ୍.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଡା. ମିଶ୍ର ସୁସ୍ଥ ସମାଜ ଗଠନ ପାଇଁ ସ୍ୱଚ୍ଛତା ନିହାତି ଆବଶ୍ୟକ ଓ ବିଭିନ୍ନ ରୋଗଠାରୁ ଦୁରେଇ ରହିବା ପାଇଁ ଚତୁଃପାଶ୍ୱକୁ ସ୍ୱଚ୍ଛ ରଖିବା ଦିଗରେ ଧ୍ୟାନ ଦେବା ସହିତ କୋଭିଡ ୧୯ ମହାମାରୀ ଠାରୁ ଦୂରେଇ ରହି କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ ବୋଲି କହିଥିଲେ । କାୟାକଳ୍ପ ପୁରସ୍କାର ରାଶି ବାବଦକୁ ଟ୍ରଫି ସମେତ, ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଉକ୍ତ ୧ ଲକ୍ଷ ପୁରସ୍କାର ରାଶି ମଧ୍ୟରୁ ୭୫ ହଜାର ଟଙ୍କା ରୋଗୀ କଲ୍ୟାଣ ସମିତି ବାବଦକୁ ଖର୍ଚ୍ଚ ହେଉଥିବାବେଳେ ୨୫ ହଜାର ଟଙ୍କା ରାଶି ଉତ୍ସବ ପାଳନ ଏବଂ ମେଡ଼ିକାଲ ଷ୍ଟାଫଙ୍କୁ ଇନସେଟିଭ ଆକାରରେ ଦିଆଯାଏ । ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର, କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ କର୍ତ୍ତବ୍ୟନିଷ୍ଠା, ଉତ୍ସର୍ଗୀକୃତ ସେବା ମନୋବୃତ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ବଳରାମ ପ୍ରଧାନ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ନିଳାଞ୍ଜନ ଦାସ, ଡାକ୍ତର ଭାଗିରଥି ପ୍ରଧାନ, ଡାକ୍ତର ଦୀପକ ବଳ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Related posts