ଦୁର୍ଦ୍ଦାନ୍ତ ଅପରାଧୀକୁ ଧରି ଛେଚିଲେ ଏବଂ ପୁଲିସ ଜିମା ଦେଲେ ଗ୍ରାମବାସୀ

ବିକାଶକୁ ଖୋଜିବାର ଅଭିନୟ କରୁଥିଲା ଦଶପଲ୍ଲା ପୋଲିସ

ଦଶପଲ୍ଲା/ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୋଲିସର ମୋଷ୍ଟ ୱାଣ୍ଟେଡ ଡକାୟତ ବିକାଶ ବେହେରାକୁ ମଧ୍ୟଖଣ୍ଡ ଗ୍ରାମବାସୀ ଧରି ଦଶପଲ୍ଲା ପୁଲିସକୁ ଜିମା ଦେଇଛନ୍ତି । ଦଶପଲ୍ଲା ଥାନା ଅଧିନସ୍ତ ମଧ୍ୟଖଣ୍ଡ ମହାନ୍ତିପଲ୍ଲୀ ଗ୍ରାମର ବିକାଶ ବେହେରାକୁ ଗତକାଲି ପୁଲିସ ଧରିବାରେ ସଫଳ ହୋଇଛି । ବିକାଶ ତା ଅପରାଧିକ କାର୍ଯ୍ୟକ୍ରମ ମଧ୍ୟଖଣ୍ଡରୁ ଆରମ୍ଭ କରି ବିଭିନ୍ନ ଜିଳ୍ଲାରେ ସେ କାୟା ବିସ୍ତାର କରିଥିଲା ଏପରିକି କନ୍ଧମାଳ, ଖୋର୍ଦ୍ଧା, ପୁରୀ, ତମାଣ୍ଡୋ, ଜଙ୍କିଆ ଓ ଅନୁଗୁଳ ଆଦି ଅଞ୍ଚଳରେ ତା ନେଟୱର୍କ କାମ କରୁଥିଲା। ୨୦୧୯ ମସିହା ଅଗଷ୍ଟ ୩୦ ତାରିଖ ଦିନ ମହାନ୍ତିପଲ୍ଲୀ ଗ୍ରାମରେ ପଞ୍ଚାୟତ ତରଫରୁ ଅନୁଷ୍ଠିତ ପଲ୍ଲୀସଭାରେ ଭିଏଲଡବ୍ଲ୍ୟୁ ମୁରଲିଧର ବାରିକ ଉପରକୁ ୨ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇ ଯାଇଥିଲା । ସେବେଠାରୁ ପୁଲିସକୁ ସେ ବିଭିନ୍ନ ସମୟରେ ଚକମା ଦେଇ ଖସିଯାଉଥିଲା। କିଛିଦିନ ପୂର୍ବେ ଖୋର୍ଦ୍ଧାରେ ଏକ ସ୍ପେଶାଲ ସ୍କ୍ୱାର୍ଡ ଉପରକୁ ଗୁଳି ଚାଳନା କରିବା ସହ ଅନୁଗୁଳ ଅଞ୍ଚଳରେ ୬୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ଏକ ଘଟଣାରେ ବିକାଶ ସମ୍ପୃକ୍ତି ଥିବା ପୁଲିସ ନିକଟରେ ଖବର ରହିଥିଲା । ଏପରିକି ତା ନାମରେ ୨୫ରୁ ଉର୍ଦ୍ଧ୍ବ ମକଦ୍ଦମା ରୁଜ କରାଯାଇଛି। ଗତ ଏକ ମାସ ଧରି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଅନେକ ରାଜନୈତିକ ଲୋକଙ୍କୁ ଧମକ ଚମକ ଦେଉଥିଲା । ଗତକାଲି ସନ୍ଧ୍ୟାରେ ମଧ୍ୟଖଣ୍ଡରେ ଆତଙ୍କରାଜ ଚଳାଇଥିବା ବେଳେ ଗ୍ରାମବାସୀମାନେ ମିଶି ତାକୁ କାବୁ କରିବା ସହିତ ନିଧୁମ ଛେଚିଥିଲେ। ତା’ପରେ ଦଶପଲ୍ଲା ପୁଲିସକୁ ଖବର ଦେଇଥିଲେ । ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା ବିକାଶକୁ ନିଜ ହେପାଜତକୁ ନେବା ସହ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ତା’ପରେ ଅବସ୍ଥା ଗୁରୁତ୍ୱର ହେବାରୁ ତାକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ଜଣାପଡିଛି।

Related posts