ନୟାଗଡ,(୧୪/୦୯): ହିନ୍ଦୀ ଭାରତର ରାଜଭାଷା ଭାବେ ସ୍ଵୀକୃତ। ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ରେ ସମ୍ବିଧାନ ସଭାର ସହମତିକ୍ରମେ ହିନ୍ଦୀକୁ ରାଜଭାଷା ଭାବେ ଗ୍ରହଣ କରାଯାଇଥିଲା ଏବଂ ୧୯୫୩ ମସିହା ସେପ୍ଟେମ୍ବର ୧୪ ତାରିଖ ଠାରୁ ସମଗ୍ର ଦେଶରେ ହିନ୍ଦୀ ଦିବସ ପାଳିତ ହୋଇଆସୁଛି। ଏବେ ସମଗ୍ର ବିଶ୍ୱରେ ପ୍ରାୟ ୨୦୦ ରୁ ଅଧିକ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମରେ ହିନ୍ଦୀ ସ୍ଥାନିତ ହୋଇଥିବାବେଳେ ଭାରତୀୟମାନଙ୍କୁ ପରସ୍ପର ସହ ଯୋଡିବାର ମାଧ୍ୟମ ରୂପେ ହିନ୍ଦୀ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ନୟାଗଡ଼ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ତରଫରୁ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହିନ୍ଦୀ ଦିବସ ପାଳନ ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମତପ୍ରକାଶ କରିଥିଲେ। ଜିଲ୍ଲା ସଂଘର ସଭାପତି ଜୟକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ସାହିତ୍ୟିକ ତଥା ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘର ସମ୍ପାଦକ ଅକ୍ଷୟ କୁମାର ପଣ୍ଡା, ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ରାଉରକେଲା ର ଶିକ୍ଷକ ଡ. ସୁରେଶ ଚନ୍ଦ୍ର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ। ହିନ୍ଦୀ ଶିକ୍ଷୟିତ୍ରୀ ମଗନୁମ୍ ଜହାଁନ୍ କବିତା ପାଠ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ପ୍ରାୟ ୨୫ ଜଣ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।ନିରାକାର ସ୍ୱାଇଁ ହିନ୍ଦୀ ସଂଗଠନ ବିଷୟରେ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ହିନ୍ଦୀ ଦିବସ ପାଳିତ
