ନୟାଗଡ଼,(୧୨/୦୯):- ରାଜ୍ୟ ପାଠାଗାର ଆନ୍ଦୋଳନର ପୁରୋଧା, ବିଶିଷ୍ଟ ସଂଗ୍ରାହକ, ମାଟିର ଗର୍ବ ଗୌରବ, ଉତ୍ତର ପିଢିପାଇଁ ପଥ ପ୍ରଦର୍ଶକ ଦଶ ପଇସାର ରଜା ଦାସିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ସଦର ମହକୁମାରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଦାସିଆ ଅଜା ସ୍ମୃତି ସଂସଦର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଜିଲ୍ଲାପାଳ ତଥା ଦାଶରଥି ପଟ୍ଟନାୟକ ଟ୍ରଷ୍ଟର ଅଧ୍ୟକ୍ଷ ଡା. ପୋମା ତୁଡୁ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦାସିଆ ଅଜା ଅମର ରହେ- ଅମର ରହେ ପ୍ରତିଧ୍ୱନି କଚେରୀ ବଜାର ପ୍ରକମ୍ପିତ ହୋଇଥିଲା।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାସ, ସିପିଆଇଏମ ନେତା ବିଶ୍ୱନାଥ ମହାପାତ୍ର, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସ୍ବେଚ୍ଛାସେବୀ ନିରଂଜନ ମିଶ୍ର, ସୁରେନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସୁମନ ସାହୁ, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଦୁର୍ୟୋଧନ ସାହୁ, ଅରୁଣ ମହାନ୍ତି, ମିଷ୍ଟର କାଳିଆ, ନେତ୍ରାନନ୍ଦ ସାହୁ ପ୍ରମୁଖ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ।