ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ। ଏହି ପ୍ରବାଦ ପୁରୁଷ ଏକ ମଫସଲ ଗାଁ ନୟାଗଡ଼ର ଉଦୟପୁର ଠାରେ ପ୍ରତିଷ୍ଠା କରିପାରିଥିଲେ ଏକ ଜାତୀୟ ସ୍ତରୀୟ ପାଠାଗାର ସଂଗ୍ରହାଳୟ । ସମଗ୍ର ବିଶ୍ଵରେ ‘ଦଶ ପଇସାର ରଜା ଦାସିଆ ଅଜା” ନାମରେ ସୁପରିଚିତ ସେ । ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ପଢ଼ିବା ଥିଲା ତାଙ୍କ ନିଶା । ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ତାଙ୍କର ଓଡ଼ିଶା ଯାତ୍ରା । ଗାଁ-ଗଣ୍ଡା, ସହର-ବଜାର ଦ୍ବାର-ଦ୍ଵାର ବୁଲିବୁଲି ପାଲଟିଥିଲେ ଜ୍ଞାନର ଭିକ୍ଷୁକ । ଅଧା ଲଙ୍ଗଳା ବେଶ ; ହାତରେ ଠେଙ୍ଗା, କାନ୍ଧରେ ଝୁଲାମୁଣି ମୁଠାଏ ମୁଢ଼ି ଓ କପେ ନାଲି ଚାହାରେ ଚଳି ଯାଉଥିଲେ । ଜୀବନ ପ୍ରଣାଳୀ ଥିଲା ସରଳ ଓ ଅତି ସାଧାରଣ । ମାଗିମାଗି ପୁସ୍ତକ, ପତ୍ର-ପତ୍ରିକା, ପୋଥି ଆଦି ସଂଗ୍ରହ କରିବା ଥିଲା ତାଙ୍କର ନିଶା । ପ୍ରତି ଦିନ ଶହେରୁ ଅଧିକ ପୋଷ୍ଟ କାର୍ଡ଼ ଲେଖିବା ଥିଲା ତାଙ୍କର ଆଉ ଏକ ନିଶା । ଲେଖକଙ୍କ ପାଇଁ ତାଙ୍କ ପୋଷ୍ଟ କାର୍ଡ ଥିଲା ପ୍ରେରଣା । ଗ୍ରାମୀଣ ପରିବେଶରେ ଥାଇ ସେ ଦେଖିଥିଲେ ଉତ୍କଳୀୟ ସାଂସ୍କୃତିକ ଚେତନା ଜାଗରଣର ସ୍ୱପ୍ନ । ଏହି ସଂଗ୍ରହାଳୟରେ ପୃଥିବୀର ବିଭିନ୍ନ ଭାଷାର ୨ ଲକ୍ଷରୁ ଅଧିକ ପୁସ୍ତକ, ପତ୍ର-ପତ୍ରିକା, ପୋଥି ଆଦି ଗଚ୍ଛିତ ଅଛି । ଦାସିଆ ଅଜାଙ୍କୁ ଏହି ମହାନ୍ କାର୍ଯ୍ୟରେ ସହଯୋଗ କରିଥିଲେ ସହଧର୍ମିଣୀ ପୌର୍ଣମାସୀ ଦେବୀ । ୧୯୦୭ ଜୁଲାଇ ୧୨ ତାରିଖରେ ଦାସିଆ ଅଜା ଜନ୍ମ ଗ୍ରହଣ କରିଥିଲେ। ଆଜି ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।
ଦାଶରଥି ପଟ୍ଟନାୟକ: (୧୨ ଜୁଲାଇ ୧୯୦୭ – ୧୨ ସେପ୍ଟେମ୍ବର ୧୯୯୭) ଓଡ଼ିଶାର ଜଣେ ସଂଗ୍ରାହକ ଓ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା । ସେ ଦଶ ପଇସାର ରାଜା ଓ ଖୁଣ୍ଟାତଡ଼ା ରାଜା ଓ ଦାଶିଆ ଅଜା ଭାବରେ ମଧ୍ୟ ପରିଚିତ । ସେ ବାଞ୍ଛାନିଧି ପାଠାଗାର (୧୯୫୯), ଶ୍ରୀ ଅରବିନ୍ଦ ସଂଗ୍ରହାଳୟ (୧୯୭୩) ଓ ଯଦୁମଣି ସାହିତ୍ୟ ସଂସଦ (୧୯୭୫) ପ୍ରତିଷ୍ଠା କରିଥିଲେ । ୧୯୯୭ ମସିହା ସେପ୍ଟେମ୍ବର ୧୨ତାରିଖରେ ତାଙ୍କର ପରଲୋକ ହୋଇଥିଲା ।
ପ୍ରାରମ୍ଭିକ ଜୀବନ: ଦାସିଆ ଅଜା ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ଉଦୟପୁର ଗ୍ରାମରେ ଜନ୍ମ ହୋଇଥିଲେ । ସେ, ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ସେ ହଳିଆ, ରାନ୍ଧୁଣିଆ, ବୋଲକରା, ଚପରାଶି, ପୁଲିସ ଏବଂ ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀ, ସର୍ବରାକାର, ଭୂଦାନକର୍ମୀ, ସର୍ଭେ ଟ୍ରେନିଙ୍ଗ କେନ୍ଦ୍ରର ପରିଚାଳକ ଭାବେ କାର୍ଯ୍ୟ କରିଥିଲେ, ପରେ ଚାକିରି ଛାଡ଼ି, ସେ ନିଜ ଗାଁର ପଥୁରିଆ ଅନୁର୍ବର ଜମି ଚାଷକରି ପେଟ ପୋଷୁଥିଲେ । ଏଥିପାଇଁ ସେ ଖୁଣ୍ଟାତଡ଼ା ରଜା ନାମରେ ପରିଚିତ ହୋଇଥିଲେ ।
ବହି ସଂଗ୍ରହ: ବହି ପଢ଼ିବା ପାଇଁ ସେ ପର ଦିନ ପଢ଼ିବା ବହି ତା\’ ଆଗଦିନ ଆଣି ସଂଗ୍ରହ କରି ରଖୁଥିଲେ। କ୍ରମେ ତାଙ୍କର ଏହି ବହି ସଂଗ୍ରହ ଏକ ପାଠାଗାର ଆନ୍ଦୋଳନର ରୂପ ନେଇଥିଲା । ସେ ମୁଣ୍ଡରେ ଠେକା ଭିଡ଼ି ଓ କାନ୍ଧରେ ଝୁଲା ମୁଣା ଧରି ସମଗ୍ର ଓଡ଼ିଶା ବୁଲି ବହି ସଂଗ୍ରହ କରୁଥିଲେ । ହାତ ପାତି ସମସ୍ତଙ୍କୁ ପୋଥି, ପୁସ୍ତକ, ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସା ଭିକ୍ଷା କରୁଥିଲେ । ଦାସିଆ ଅଜା ପ୍ରତିଦିନ ଏକଶହରୁ ଉର୍ଦ୍ଧ ପୋଷ୍ଟକାର୍ଡ଼ ଲେଖି ବିଭିନ୍ନ କବି ଲେଖକମାନଙ୍କୁ ପଠାଉଥିଲେ ।
ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ ବାଞ୍ଛାନିଧି ପାଠାଗାର ସ୍ଥାପନା:
ନିଜର ସଂଗୃହୀତ ଜିନିଷସବୁକୁ ନେଇ ଦାସିଆ ଅଜା ନୟାଗଡ଼ର ନୂଆଗାଁରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ସ୍ଥାପନା କରିଥିଲେ । ନୟାଗଡ଼ରୁ ଦଶପଲ୍ଲା ଯିବା ରାସ୍ତାରେ (୫୭ନମ୍ବର ଜାତୀୟ ରାଜପଥ) ନୂଆଗାଁ ଠାରୁ ୪କିଲୋମିଟର ରାସ୍ତା ଡାହାଣପଟେ ଭିତରକୁ ଗଲେ ଏହି ସଂଗ୍ରହାଳୟ । ସଂଗ୍ରହଳାୟ ପରିସର ମଧ୍ୟରେ ବାଞ୍ଛାନିଧି ପାଠାଗାର ଓ ଯଦୁମଣି ସାହିତ୍ୟ ସଂସଦ ରହିଛି । ପାଠାଗାରରେ ବିଭିନ୍ନ ଭାଷାର ୫୦ ହଜାରରୁ ଅଧିକ ପୁସ୍ତକ ଓ ୬୫ ହଜାର ରକମର ପତ୍ରପତ୍ରିକା ରହିଛି । ୪୨ଟି ଭାଷାର ଶତାଧିକ ତାଳପତ୍ର ପୋଥି ରହିଛି, ତନ୍ମଧ୍ୟରୁ ୫ଟି ଶହେ ବର୍ଷ ପୁରୁଣା । ଉଦୟପୁର ସ୍ଥିତ ଏହି ସଂଗ୍ରହାଳୟକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୦୬ ମସିହାରେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଥିଲେ । ନିଜ ଜୀବିତ ଅବସ୍ଥାରେ ଦାଶରଥୀ ପଟ୍ଟନାୟକ, ଏହି ଅନୁଷ୍ଠାନ ଗୁଡିକର ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଢିଯାଇଥିଲେ। ନୟାଗଡ଼ର ଜିଲ୍ଲାପାଳ, ଏହି ଟ୍ରଷ୍ଟର ଅଧ୍ୟକ୍ଷ ରହିଥିବା ବେଳେ, ଦାସିଆ ଅଜାଙ୍କ ନାତି ଦୀପକ ଏହି ଟ୍ରଷ୍ଟର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି।