ନୀରବ ଶୋଭାଯାତ୍ରାରେ ସେବାୟତଙ୍କ ସହ ସାମିଲ ହେଲେ ନିମନ୍ତ୍ରିତ ଅତିଥି। ସରକାରଙ୍କ ପାତର ଅନ୍ତର ନୀତି ଉପରେ ଗର୍ଜିଲେ ବିରୋଧୀ।
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଗୁରୁଦିବସ ଅବସରରେ ନୟାଗଡ଼ ଜିଲ୍ଲା ଶିଵଶକ୍ତି ମନ୍ଦିର ପୂଜକ ସଂଘ ଆନୁକୂଲ୍ୟରେ ରାଜସୁନାଖଳାର କୁମାରୀଛକସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଶିବଶକ୍ତି ମନ୍ଦିର ପୂଜକ ସଂଘର ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ସେବାୟତମାନଙ୍କ ପକ୍ଷରୁ ଏକ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଜସୁନାଖଳା ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ କାଉଁରୀ ମନ୍ଦିର ପରିସରରେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସମବେତ ସେବାୟତଙ୍କ ସହ ଖଣ୍ଡପଡା ଗଡ଼ଜାତର ରାଜକୁମାର ତଥା ପ୍ରାକ୍ତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ମର୍ଦ୍ଧରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ନୀରବ ଶୋଭାଯାତ୍ରାରେ ରାଜସୁନାଖଳା ବଜାର ପରିକ୍ରମା କରିଥିଲେ।ସେମାନଙ୍କ ସହିତ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ଯୁବ ଆଇନଜୀବୀ ରଣଜିତ ଦାସ ମଧ୍ୟ ସାମିଲ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସ୍ଵର୍ଣ୍ଣ ପ୍ରକାଶ ରାଉତରାୟ, ଯୁବ ସମାଜସେବୀ ତ୍ରିନାଥ ରାଉତ, ରାଜସୁନାଖଳା ମହୋତ୍ସବ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ଏବଂ ମହୋତ୍ସବ କମିଟିର ସମ୍ପାଦକ ଚିତରଞ୍ଜନ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହି ନୀରବ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ପରେ ଶିଵଶକ୍ତି ମନ୍ଦିର ପୂଜକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ପରମଶୈବ ଲଳିତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟରୁ ନିମନ୍ତ୍ରିତ ହୋଇଆସିଥିବା ଆଠଟି ଜିଲ୍ଲାର ଜିଲ୍ଲା ପରିଚାଳକ ମାନଙ୍କୁ ଉପସ୍ଥିତ ଅତିଥିମାନେ ଉଦବୋଧନ ଦେଇଥିଲେ। ଏହିକ୍ରମରେ ମୁଖ୍ୟବକ୍ତା ଜିଲ୍ଲା କଂଗ୍ରେସ କମିଟିର ସଭାପତି ରଣଜିତ ଦାସ କରୋନା ଭଳି ମହାମାରୀ ସମୟରେ ଶିଵଶକ୍ତି ମନ୍ଦିର ଗୁଡିକ ବନ୍ଦଥିବା ବେଳେ ଭକ୍ତ ଓ ଭଗବାନଙ୍କୁ ଏକାଠି କରୁଥିବା ସେବାୟତ ମାନଙ୍କ ପ୍ରତି ରାଜ୍ୟ ସରକାର କରିଥିବା ପାତର ଅନ୍ତର ନୀତି ବିରୋଧରେ ପ୍ରବଳ ବର୍ଷିଥିଲେ। ଅନୁରୂପ ମୁଖ୍ୟ ଅତିଥି ଖଣ୍ଡପଡା ଗଡ଼ଜାତର ରାଜକୁମାର ତଥା ପ୍ରାକ୍ତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ମର୍ଦ୍ଧରାଜ ସେବାୟତମାନଙ୍କୁ ନିଜ ରାଜପରିବାରର ସଦସ୍ୟଭାବେ ଅଭିହିତ କରିବା ସହ ଓଡ଼ିଶାର ଗାଁ ଗହଳିରେ ରହିଥିବା ବହୁ ପ୍ରାଚୀନ ଶୈବପୀଠ ମାନଙ୍କର ଭିତ୍ତିଭୂମିର ବିକାଶ ନିମନ୍ତେ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିଥିଲେ।

ସମ୍ମାନୀତ ବକ୍ତା ଭାବେ ଯୁବ ସାମ୍ବାଦିକ ତଥା ରାଜସୁନାଖଳା ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ତାଙ୍କ ବକ୍ତବ୍ୟରେ ସରକାରଙ୍କ ଶୈବ ସେବାୟତ ମାନଙ୍କ ପାଇଁ କରିଥିବା ବିଚିତ୍ର ନୀତିର କଡ଼ା ସମାଲୋଚନା କରିବା ସହ ପଶୁପକ୍ଷୀମାନଙ୍କ ଗଣନା କରି ପାରୁଥିବାବେଳେ ଏଯାବତ ଶୈବ ସେବାୟତମାନଙ୍କ ଗଣନା ନ କରିବା, ସେମାନଙ୍କ ନାର୍ଯ୍ୟ ଦାବୀ ଓ ଅଧିକାରକୁ ଦୃଷ୍ଟି ନଦେବା ଆଦି ବହୁ ସମସ୍ୟା ସମ୍ପର୍କରେ ପ୍ରବଳ ଗର୍ଜିଥିଲେ। ସେହିଭଳି ଅନ୍ୟତମ ସମ୍ମାନୀତ ଅତିଥି ଓଡିଶା ହାଇକୋର୍ଟର ଯୁବ ଆଇନଜୀବୀ ତଥା ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘର ସହ-ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ସଂଗଠନର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଆଚାର୍ଯ୍ୟ ବି.କେ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ନୟାଗଡ଼ ଜିଲ୍ଲା କାର୍ଯ୍ୟକାରଣୀ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସହ-ସମ୍ପାଦକ ପ୍ରଦୀପ କୁମାର ରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରାଜସୁନାଖଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାରେଗାମାପାଧାନୀର କଳାକାରମାନେ ଆବାହନୀ ସଙ୍ଗୀତ ଗାନ କରିଥିଲେ। ମଞ୍ଚ ପକ୍ଷରୁ ରାଜ୍ୟର ବରିଷ୍ଠ ଶୈବସେବାୟତ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଓଡିଶୀନୃତ୍ୟଗୁରୁ ଲିମା ଦାସ, ସମାଜସେବୀ ଅପର୍ଣ୍ଣା ମିଶ୍ର ଏବଂ ସାମ୍ବାଦିକ ଜୟେନ୍ଦ୍ର ବେହେରା, ଚିତ୍ତରଂଜନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜସୁନାଖଳାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ନୀଳକଣ୍ଠେଶ୍ୱର ଦେବ ଏବଂ ଅମୃତେଶ୍ୱର ଦେବଙ୍କ ସେବାୟତମାନେ ଏହି କାର୍ଯ୍ୟକ୍ରମରେ ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ।
ପ୍ରଦୀପ କୁମାର ରଣା
ଆ/ପ୍ର/ ରାଜସୁନାଖଳା
ମୋ-୯୯୩୮୬୮୮୪୩୨
