ରୋଷେଇ କଲାବେଳେ ଫାଟିଗଲା ଗ୍ୟାସ ଟାଙ୍କି ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ମହିଳାଙ୍କ ଚାଲିଗଲା ଜୀବନ । ଉଦ୍ଧାର କରିବାକୁ ଉଦ୍ୟମ ବେଳେ ଗୁରୁତର ହେଲେ ମୃତା ମହିଳାଙ୍କ ସ୍ବାମୀ । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡିହି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗାଁର ୨୨ ବର୍ଷୀୟା ହରପ୍ରିୟା ଜେନା ନିଜ ରୋଷେଇ ଘରେ ରନ୍ଧନ ଗ୍ୟାସ ଯୋଗେ ରୋଷେଇ କରୁଥିବା ବେଳେ ଅଚାନକ ଫାଟି ଯାଇଥିଲା ଗ୍ୟାସ ଟାଙ୍କି। ଫଳରେ ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କରିବାକୁ ଉଦ୍ୟମ କଲାବେଳେ ତାଙ୍କର ସ୍ବାମୀ ସିଲୁ ଜେନା ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଖଣ୍ଡପଡା ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ସୂଚନା ମିଳିଛି।
ଫାଟିଗଲା ଗ୍ୟାସ ଟାଙ୍କି, ଜଣେ ମହିଳାଙ୍କ ମୃତ୍ୟୁ ସ୍ୱାମୀ ଗୁରୁତର
